ଅହମ୍ମଦାବାଦ: ଆରବ ସାଗରରେ ଭାରତୀୟ ଜଳ ସୀମାରେ ପଶି ମାଛ ଧରୁଥିବାବେଳେ ପାକିସ୍ତାନୀ ବୋଟକୁ ଧରିଛି ଭାରତୀୟ ତଟରକ୍ଷୀ ବାହିନୀ । ଗତକାଲି (ଶନିବାର)ରାତିରେ ଗୁଜୁରାଟର ପୋରବନ୍ଦର ଉପକୂଳରୁ ଏହି ପାକିସ୍ତାନୀ ବୋଟକୁ ଠାବ କରାଯାଇଛି । ଏଥିରେ ମୋଟ ୧୦ ଜଣ ପାକ ମତ୍ସ୍ୟଜୀବୀ ଥିବାବେଳେ ସମସ୍ତଙ୍କୁ ତଦନ୍ତ ପାଇଁ ପୋରବନ୍ଦର ଅଣାଯାଉଥିବା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଭାରତୀୟ କୋଷ୍ଟଗାର୍ଡର ଜାହାଜ ‘ICGS ଅଙ୍କିତ’ ପୋରବନ୍ଦର ଉପକୂଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବାବେଳେ ଏହି ପାକିସ୍ତାନୀ ବୋଟର ଅନୁପ୍ରବେଶ ସମ୍ପର୍କରେ ସୂଚନା ପାଇଥିଲା । ଏହି ପାକ ବୋଟଟି ଭାରତୀୟ ଜଳ ସୀମା ମଧ୍ୟରେ ପ୍ରାୟ ୬ରୁ ୭ ମାଇଲ ମଧ୍ୟକୁ ପ୍ରବେଶ କରି ମାଛ ଧରୁଥିଲା । ତେବେ ଉକ୍ତ ବୋଟଟି କୋଷ୍ଟଗାର୍ଡ ଜାହାଜକୁ ଦେଖି ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ତାକୁ କାବୁ କରିବାରେ ସଫଳ ହୋଇଥିଲେ କୋଷ୍ଟଗାର୍ଡ ଟିମ ।
ପରେ ଯାଞ୍ଚ କରାଯିବାରୁ ତାହା ଏକ ପାକିସ୍ତାନୀ ବୋଟ ବୋଲି ସ୍ପଷ୍ଟ ହେବା ସହ ଏଥିରେ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଛି । ସେମାନଙ୍କ ନିକଟରେ କୌଣସି ବୈଧ ପରିଚୟ ପତ୍ର ମଧ୍ୟ ମିଳିନାହିଁ । ସେହିପରି ଉକ୍ତ ବୋଟରୁ ପ୍ରାୟ ୨ କୁଇଣ୍ଟାଲ ମାଛ ଓ ୬ଶହ ଲିଟିର ତେଲ ଜବତ ହୋଇଛି । ଅଧିକ ପଚରାଉଚରା ପାଇଁ ସମସ୍ତଙ୍କୁ ପୋରବନ୍ଦର ଅଣାଯାଉଥିବା କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି ।
ତେବେ ପଶ୍ଚିମ ଉପକୂଳ ପରି ସମ୍ବେଦନଶୀଳ ଅଞ୍ଚଳରେ କୋଷ୍ଟଗାର୍ଡର କଡା ପ୍ରହାର ସତ୍ତ୍ବେ ମଧ୍ୟ ପାକିସ୍ତାନୀ ବୋଟ ୭ ମାଇଲ ଭିତରକୁ ପ୍ରବେଶ କରିବା ସୁରକ୍ଷା ବ୍ୟବସ୍ଥା ପ୍ରତି ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି । କୌଣସି ସମୟରେ ମୁମ୍ବାଇ ଆତଙ୍କୀ ହମଲା ପରି ଅଘଟଣ ଆଶଙ୍କା ଥିବାରୁ ରାତ୍ରୀକାଳୀନ ପାଟ୍ରୋଲିଂକୁ ଆହୁରି ଜୋରଦାର କରିବା ପାଇଁ କୋଷ୍ଟଗାର୍ଡ ମୁଖ୍ୟ ଭି.ଏସ୍ ପଠାନିଆ ନିର୍ଦ୍ଦେଶ ଦେଇଛନ୍ତି ।
@ANI