ଇଟାନଗର: କେନ୍ଦ୍ର ସରକାରଙ୍କ ‘ଅମୃତ ସରୋବର’ ମିଶନକୁ ଆଉ ପାଦେ ଆଗକୁ ବଢାଇଛି ଭାରତୀୟ ସେନା । ଆଜି ସେନା ଅରୁଣାଚଳ ପ୍ରଦେଶରେ ପଶ୍ଚିମ କାମେଙ୍ଗରେ ଥିବା ଟେଙ୍ଗା ଉପତ୍ୟାକାରେ ଏକ ‘ଅମୃତ ସରୋବର’ ପ୍ରକଳ୍ପ ଲୋକାର୍ପଣ କରିଛି । ସ୍ଥାନୀୟ ପଶ୍ଚିମ କାମେଙ୍ଗ ଜିଲ୍ଲା ପ୍ରଶାସନ ଓ ସେନାର ମିଳିତ ଉଦ୍ୟମରେ ଟେଙ୍ଗା ଉପତ୍ୟକାରେ ନିର୍ମାଣ କରାଯାଇଥିବା ଏହି ଅମୃତ ସରୋବରକୁ ଆଜି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି ।
ଏହି ପ୍ରକଳ୍ପ ହେଉଛି କେନ୍ଦ୍ର ସରକାରଙ୍କ ଏକ ବର୍ଷା ଜଳ ସଂରକ୍ଷଣ ମିଶନ । କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପ୍ରକଳ୍ପ ସ୍ଥାନୀୟ ସମ୍ପ୍ରଦାୟର ସଶକ୍ତିକରଣ ସହିତ ବର୍ଷା ଜଳ ଅମଳ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି । ଦେଶର ପ୍ରାୟ 75ଟି ସ୍ଥାନରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ସେନା ଦ୍ୱାରା ଏହାକୁ ନିର୍ମାଣ କରାଯିବା ଜାରି ରହିଛି । ଅରୁଣାଚଳ ପ୍ରଦେଶରେ ନିର୍ମିତ ଏହି ପ୍ରକଳ୍ପକୁ ଆଜି ସ୍ଥଳସେନାର ‘ଗଜରାଜ କର୍ପସ’ର ଜେନେରାଲ କମାଣ୍ଡିଂ ଅଫିସର ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କୋଲାର୍ପିତ କରିଛନ୍ତି ।
ସେନା ଦ୍ବାରା ନିର୍ମିତ ଏହି ପ୍ରକଳ୍ପକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି । ଏହି ପ୍ରକଳ୍ପକୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ନିରନ୍ତର ନାଗରିକ-ସାମରିକ ସହଭାଗିତାର ପ୍ରତୀକ ଭାବରେ ଦେଖାଯାଉଛି । ଭବିଷ୍ୟତ ପିଢି ପାଇଁ ଜଳ ଅମଳ ଏବଂ ସଂରକ୍ଷଣ ଲକ୍ଷ୍ୟ ନେଇ 2022 ମସିହା ଏପ୍ରିଲ 24 ତାରିଖରେ ଭାରତ ସରକାରଙ୍କ ଦ୍ବାରା ଏହି ମିଶନ ‘ଅମୃତ ସରୋବର’ ଆରମ୍ଭ କରାଯାଇଥିଲା । ଦେଶର ବିଭିନ୍ନ ସ୍ଥାନରେ 75ଟି ସାଇଟ୍ ଚିହ୍ନଟ କରିଥିଲା ସେନାର ଦକ୍ଷିଣ କମାଣ୍ଡ । ଏହି ମିଶନରେ ଆର୍ମି ଇଞ୍ଜିନିୟର୍ସ ଏବଂ ସ୍ଥାନୀୟ ପୂର୍ତ୍ତ ବିଭାଗ, ସାଧାରଣ ପ୍ରଶାସନ ଏବଂ ଗ୍ରାମ ପଞ୍ଚାୟତମାନେ ସହଯୋଗ କରୁଛନ୍ତି । ଆସାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, ଗୁଜରାଟ, କେରଳ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନରେ ପ୍ରାୟ 75ଟି ଅମୃତ ସରୋବର ପ୍ରକଳ୍ପର ନିର୍ମାଣ ଦାୟିତ୍ବ ମଧ୍ୟ ସେନାକୁ ହସ୍ତାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:-103rd Mann Ki Baat: ‘ନଷ୍ଟ କରାଯାଇଛି 12 ହଜାର କୋଟିର ଡ୍ରଗ୍ସ’
ଆଜି ‘ମନ କୀ ବାତ’ରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର କାର୍ଯ୍ୟକାରିତା କଥା ଉଲ୍ଲେଖ କରିଥିଲେ । କହିଥିଲେ ଯେ ‘ଆଜାଦୀ କି ଅମୃତ ମହୋତ୍ସବ’ କାଳରେ ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରାୟ 60,000 ଅମୃତ ସରୋବର ଦେଶରେ ଜଳ ସଂରକ୍ଷଣ ପ୍ରୟାସର ଏକ ଭିନ୍ନ ଉଦାହରଣ ଭାବରେ ସାମ୍ନାକୁ ଆସିଛି । ସାରା ଦେଶରେ ଏବେ ମଧ୍ୟ ଆହୁରି 50,000 ନିର୍ମାଣ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ