ନୂଆଦିଲ୍ଲୀ: ବର୍ତ୍ତମାନ ଆଫଗାନିସ୍ତାନ ତାଲିବାନ ସଙ୍କଟ ଓ ପାକିସ୍ତାନ ଗତିବିଧିକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା କଡାକଡି କରିଛି ଭାରତ। କେବଳ ସୀମାରେ ନୁହେଁ ଦୁଇ ଦେଶର ଚେକ ପୋଷ୍ଟରେ ମଧ୍ୟ ଭାରତ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ଲଗାଇଛି । ଦୁଇ ଦେଶର ସୀମାରେ ଥିବା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ (ICP)ରେ ଏହାର ପ୍ରଥମ ରେଡିଏସନ୍ ଡିଟେକ୍ସନ ଉପକରଣ (RDE) ବ୍ୟବସ୍ଥା କରିଛି ଭାରତ। ଦୁଇ ଦେଶ ମଧ୍ୟରେ ଭିଭିନ୍ନ ସମୟରେ ସାମରିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଦୁଇପକ୍ଷର ଅନେକ ସାଧାରଣ ନାଗରିକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥାନ୍ତି।
![ଓ୍ବାଘା-ଅଟାରୀ ବର୍ଡର ବଢିଲା ସୁରକ୍ଷା, ଲାଲିଲା ପ୍ରଥମ Radiation Detection Equipment](https://etvbharatimages.akamaized.net/etvbharat/prod-images/12948589_indai.jpg)
ଏପରିସ୍ଥଳେ ଛଦ୍ମବେଶରେ ଆତଙ୍କୀଙ୍କ ପ୍ରବେଶ ଆଶଙ୍କା କରି ଭାରତ ପକ୍ଷରୁ ଏପରି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅତ୍ୟାଧୁନିକ ବୈଶୟିକ ଯନ୍ତ୍ରାଂଶ ଫଳରେ କୌଣସି ବୈଦୁତିକ ସରଞ୍ଜାମକୁ ଖୁବ ସହଜରେ ଠାବ କରିହେବ। ତାଲିବାନର ଆଫଗାନିସ୍ତାନ ଦଖଲ ପରେ କାଶ୍ମୀର ଓ ପାକ ଅଧିକୃତ କାଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ଗୋଷ୍ଠୀମାନେ ବଡ ଧରଣର ହାମଲା କରି ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ଉଦ୍ୟମ କରିପାରନ୍ତି ବୋଲି ପୂର୍ବରୁ ମଧ୍ୟ ଗୁଇନ୍ଦା ସୂଚନା ମିଳିସାରିଛି।
ଏପରିକି କିଛି କାଶ୍ମୀର ଆତଙ୍କୀ ଗୋଷ୍ଠୀ ତାଲିବାନ ନେତାଙ୍କ ସହ ଆଲୋଚନା କରି କାଶ୍ମୀର ପ୍ରସଙ୍ଗରେ ସାହାୟତା ମାଗିବା ଘଟଣା ଭାରତର ଚିନ୍ତାକୁ ବଢାଇଛି। ଏନେଇ ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗ ପକ୍ଷରୁ ଭାରତୀୟ ସେନାକୁ ସତର୍କ କରାଯାଇଥିଲା । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ଥିବା କହିଛି । କୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ଭାପତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା CDS ବିପିନ ରାଓ୍ବତ କହିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ