ନୂଆଦିଲ୍ଲୀ: ଲଦାଖ ସୀମା ବିବାଦର ସମାଧାନ ପାଇଁ ଚୁସୁଲରେ ଭାରତ ଏବଂ ଚୀନ ମଧ୍ୟରେ ଅଷ୍ଟମ କର୍ପସ୍ କମାଣ୍ଡର ସାମରିକ ଆଲୋଚନା ସରିଛି । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଭୟ ଦେଶ ଆଲୋଚନା ଜାରି ରଖିବାକୁ ରାଜି ହୋଇଛନ୍ତି ବୋଲି ରବିବାର ଏମଓଡି ସୂଚନା ଦେଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ସାମରିକ ଏବଂ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଆଲୋଚାନକୁ ଆଗକୁ ବଢାଯିବ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ମିଳିତ ଭାବରେ ଶାନ୍ତି ବଜାୟ ରଖିବାକୁ ଉଭୟ ଦେଶ ସହମତ ହୋଇଛନ୍ତି।
ମନ୍ତ୍ରଣାଳୟ ସୂଚାଇ ଦେଇଛି ଯେ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ପଶ୍ଚିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅସହଯୋଗକୁ ନେଇ ଉଭୟ ପକ୍ଷରୁ ଏକ ଖୋଲା, ଗଭୀର ଏବଂ ଗଠନମୂଳକ ମତ ବିନିମୟ ହୋଇଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଦୁଇ ଦେଶର ନେତାଙ୍କ ଦ୍ବାରା ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ସହମତିକୁ କାର୍ଯ୍ୟକାରୀ କରିବାକୁ ଉଭୟ ଦେଶ ମଧ୍ୟ ସହମତ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି ଯେ ସେମାନେ ଶୀଘ୍ର ଆଉ ଏକ ରାଉଣ୍ଡ ବୈଠକ କରିବେ ।
ସୀମାରେ ଉଭୟ ସୈନ୍ୟ ପ୍ରତ୍ୟାହାର ପାଇଁ କୌଣସି ସହମତି ପ୍ରକାଶ ପାଇନଥିବାରୁ ମାଇନସ୍ 20 ଡିଗ୍ରୀରେ ଯବାନ ସୀମାରେ ଜଗି ରହିବେ । ଶୁକ୍ରବାର ସକାଳ 9ଟା 30ମିନିଟରେ ଦୁଇ ଦେଶ ମଧ୍ୟରେ ବୈଠକ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 7ଟାରେ ଏହି ବୈଠକ ସରିଥିଲା । ପ୍ରଥମ ଥର ପାଇଁ ଲେଫ୍ଟନାଣ୍ଟ ଜେନେରାଲ୍ ପିଜିକେ ମେନନ୍ ଭାରତୀୟ ସାମରିକ ପ୍ରତିନିଧୀଙ୍କ ନେତୃତ୍ବ ନେଇଥିଲେ।
ଏହାପୂର୍ବରୁ ସେ ଏହିପରି ଦୁଇଟି ଆଲୋଚନାରେ ଯୋଗ ଦେଇଥିଲେ । ତେବେ ଏହି ପ୍ରତିନିଧୀ ଦଳର ତତ୍କାଳୀନ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କୁ ଗତ ମାସରେ ଭାରତୀୟ ମିଲିଟାରୀ ଏକାଡେମୀ (ଆଇଏମଏ)କୁ ସ୍ଥାନାନ୍ତର କରାଯାଇଥିଲା, ଏଠାରେ ସେ ସେନା ଅଧିକାରୀଙ୍କ ଭବିଷ୍ୟତ ପିଢିକୁ ତାଲିମ ଦେବା ଦାୟିତ୍ବରେ ରହିବେ। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ନବିନ ଶ୍ରୀବାସ୍ତବ ମଧ୍ୟ ଅଂଶଗ୍ରହଣ କରିଥିଲେ।
ତେବେ ଏହି ଆଲୋଚନା ଚାଲିଥିବାବେଳେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତ ଶୁକ୍ରବାର ଦାବି କରିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ପରିସ୍ଥିତି ତିକ୍ତ ରହିଛି ଏବଂ ଚୀନ୍ ସହିତ ଯୁଦ୍ଧକୁ ଏଡାଇ ଦିଆଯାଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସୈନ୍ୟବାହିନୀର ଦୃଢ ପ୍ରତିକ୍ରିୟା କାରଣରୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଲଦାଖରେ ଅପ୍ରତ୍ୟାଶିତ ପରିଣାମର ସମ୍ମୁଖୀନ ହେଉଛି। 6 ମାସର ବିବାଦର ସମାଧାନ ପାଇଁ ଉଭୟ ଦେଶର ସାମରିକ ବରିଷ୍ଠ କମାଣ୍ଡୋମାନେ ସାତଥର ସାକ୍ଷାତ କରିସାରିଲେଣି। ଅକ୍ଟୋବର 12 ରେ ସପ୍ତମ ବୈଠକ ଅନୁଷ୍ଠିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ