ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ସ୍ବାଧିନତା ଦିବସ ସମାରୋହ ଆସନ୍ତାକାଲି (୧୫ ଅଗଷ୍ଟ) ଜାତୀୟ ରାଜଧାନୀ ଦିଲ୍ଲୀରେ ପାଳନ ହେବ । ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ୭୫ ତମ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷାକୁ ନେଇ ଦିଲ୍ଲୀ ପୋଲିସ ଓ ସେନା ମିଳିତ ଭାବେ ବ୍ୟବସ୍ଥା କରିଛନ୍ତି ।
ଦିଲ୍ଲୀ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମଗ୍ର ଦିଲ୍ଲୀର ସୁରକ୍ଷା ନିଶ୍ଚିତ କରାଯାଇଛି । ସମଗ୍ର ଲାଲକିଲ୍ଲା ଅଞ୍ଚଳକୁ ସେନା ନିଜ କବଜାକୁ ନେଇଛି । ଲାଲକିଲ୍ଲା ପରିସରରେ ଓ ବାହାରେ NSG କମାଣ୍ଡୋ, ସ୍ନାଇପର, ବମ ନିରୋଧୀ ଯବାନ, ଉଡନ୍ତା ପକ୍ଷୀ ଧରାଳି ଟିମ, ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ କମାଣ୍ଡୋ, ଉଚ୍ଚ ଅଟାଳିକକୁ ଗୁଳି ଲକ୍ଷ୍ୟଭେଦ କରିପାରୁଥିବା ଯବାନ, ବୋମା ନିଷ୍କ୍ରିୟକାରୀ ଟିମ ମୁତୟନ ହୋଇଛନ୍ତି । ଏହାବାଦ ଲାଲକିଲ୍ଲାକୁ ବାହ୍ୟ ସୁରକ୍ଷା ଯୋଗାଉଛନ୍ତି, ସିଆରପିଏଫ, ବିଏସଏଫ, ସିଆଇଏସଏଫ ଓ ଦିଲ୍ଲୀ ପୋଲିସ ।
ସେହିପରି ନିକଟରେ ଜମ୍ମୁ କାଶ୍ମୀରରେ ବାରମ୍ବାର ଡ୍ରୋନ ଉଡିବା ଘଟଣାକୁ ନେଇ ମଧ୍ୟ ହୋଇଛି ସ୍ବତନ୍ତ୍ର ଯୋଜନା । କେବଳ ଅନୁମତି ପ୍ରାପ୍ତ ତଥା ସୁରକ୍ଷା ସମ୍ବନ୍ଧୀୟ ଓ ସରକାରୀ ଅନୁମତି ପ୍ରାପ୍ତ ଡ୍ରୋନ ଉଡିବ । ଅନ୍ୟ କୌଣସି ଡ୍ରୋନ ଉଡି ପାରିବ ନାହିଁ । ସେହିପରି ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଲାଲକିଲ୍ଲା ସମେତ ବାହ୍ୟ ଅଞ୍ଚଳରେ ୩୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଛି । ଯାହା ଲାଲ କିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖିବ । ଖାଲି ଏତିକି ଖାଲି ଲାଲ କିଲ୍ଲା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ୫ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।
ଅନ୍ୟ ଏକ ପଦକ୍ଷେପ ଅନୁସାରେ ସ୍ବାଧୀନତା ଦିବସର ଯଥେଷ୍ଟ ପୂର୍ବରୁ ଦିଲ୍ଲୀର ନିର୍ଦ୍ଦିଷ୍ଟ ଆକାଶ ମାର୍ଗକୁ ନୋ-ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କୌଣସି ଉଡାଣ ହୋଇପାରିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ