ମୁମ୍ବାଇ: ଆବର ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଯାହା ଆସନ୍ତା 16 ତାରିଖରେ ବାତ୍ୟାର ରୂପ ନେଇପାରେ । ଯାହାର ପ୍ରଭାବରେ ମୁମ୍ବାଇ, ଗୋଆ, ଗୁଜୁରାଟ ଏବଂ ଦକ୍ଷିଣ କୋଙ୍କଣର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସତର୍କ ସୂଚନା ଦେଇଛି ।
ଆଇଏମଡିର ସୂଚନା ମୁତାବକ, ଶୁକ୍ରବାର ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ ଏହାର ନିକଟସ୍ଥ ଲକ୍ଷାଦ୍ବୀପ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଶନିବାର ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ ଏବଂ ଏହାର 24 ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଏହା ଆହୁରି ତୀବ୍ରତର ହୋଇ ଉତ୍ତର-ପଶ୍ଚିମ ଗୁଜୁରାଟ ଏବଂ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳକୁ ଗତି କରିବାର ସମ୍ଭାବନା ରହିଛି ବୋଲି ଆଇଏମଡି ରିପୋର୍ଟରେ କୁହାଯାଇଛି ।
ଆହୁରି ମଧ୍ୟ, ବାତ୍ୟା ମେ 18 ସନ୍ଧ୍ୟା ସୁଦ୍ଧା ଗୁଜୁରାଟ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି କାରଣରୁ ଦକ୍ଷିଣ କୋଙ୍କଣ ଏବଂ ଗୋଆ ଅଞ୍ଚଳରେ ଶନିବାର ଦିନ ଅନେକ ସ୍ଥାନରେ ହାଲୁକା ଓ ମଧ୍ଯମ ଧରଣର ବର୍ଷା ହେବ ଏବଂ ରବିବାର-ସୋମବାର ଦିନ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହ ପ୍ରଭାବିତ ଅଞ୍ଚଳର ଗୁଡିକରେ 5 ରୁ 6 ଦିନ ଯାଏଁ ଘଣ୍ଟାପ୍ରତି 50 ରୁ 80 କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମଡି ଆକଳନ କରିଛି ।
ସେହିପରି ରବିବାର ଏବଂ ସୋମବାର ଦିନ ରତ୍ନାଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ମୁମ୍ବାଇ, ଥାନେ ଏବଂ ରାଇଗଡରେ ସୋମବାର ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର ଓ ସତରା ଅଞ୍ଚଳରେ ମଧ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏନେଇ ଏହି ସବୁ ଅଞ୍ଚଳଗୁଡିକୁ ସତର୍କ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ