ନୂଆଦିଲ୍ଲୀ: ପଞ୍ଜାବର ରୋପାର ଠାରେ ଥିବା ଆଇଆଇଟି କଲେଜରେ ଅନ୍ତିମ ସଂସ୍କାର ପାଇଁ ଏକ ବିଦ୍ୟୁତ ଚାଳିତ ମେସିନର ନିର୍ମାଣ କରାଯାଇଛି । ଏହି ମେସିନରେ ବିଭିନ୍ନ ସ୍ଥାନକୁ ନିଆଯାଇପାରୁଥିବା ବେଳେ ଏହା ପରିବେଶ ଅନୁକୂଳ । ଏଥିରେ ବିନା ଧୂଆଁରେ ଜୁଇ ଜଳିପାରିବ ବୋଲି ଗୁରୁବାର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏହି ମେସିନକୁ ବ୍ୟବହାର କରି ବିଦ୍ୟୁତ ଦ୍ବାରା କରାଯାଉଥିବା ଅନ୍ତିମ ସଂସ୍କାରରେ ଖୁବକମ କାଠ ଆବଶ୍ୟକ ହୋଇଥାଏ । କାଠ ଜଳିଲେ ମଧ୍ୟ ଏଥିରୁ କୌଣସି ଧୂଆଁ ବାହାରିବ ନାହିଁ ବୋଲି ଜଣାପଡିଛି । ଏଭଳି ଏକ ମେସିନ ପ୍ରଥମ କରି ଆଇଆଇଟି ରୋପାର ବାହାର କରିଛି । ଏହା ଷ୍ଟୋଭ ଭଳି ହୋଇଥିବା ବେଳେ ପ୍ରଥମେ ଏଥିରୁ ହଳଦିଆ ରଙ୍ଗର ତାପ ବାହିରିବା ପରେ ଧୀରେ ଧୀରେ ନୀଳ ରଙ୍ଗରେ ପରିଣତ ହୋଇ ବିନା ଧୂଆଁରେ ଜଳିବ ।
ଏହି ଷ୍ଟୋଭ 1044 ଡିଗ୍ରୀ ତାପମାତ୍ରାରେ ଗରମ ହେବା ପରେ ଅନ୍ତିମ ସଂସ୍କାର ହୋଇଥାଏ । ଏହି ମେସିନରେ ମୃତଦେହ ଜଳିବା ସହିତ ଶୀତଳ ହେବା ପାଇଁ 12 ଘଣ୍ଟା ସମୟ ଲାଗୁଥିବା ବେଳେ ପାରମ୍ପରିକ ଭାବେ କରାଯାଉଥିବା ଅନ୍ତିମ ସଂସ୍କାରରେ ଏହି 2ଟି ପ୍ରକ୍ରିୟା ପାଇଁ 48 ଘଣ୍ଟା ସମୟ ଲାଗିଥାଏ ବୋଲି ଆଇଆଇଟିର ପ୍ରଫେସର ଡକ୍ଟର ହରପ୍ରିତ ସିଂ କହିଛନ୍ତି । ତେବେ କମ ପରିମାଣରେ କାଠ ଜାଳିବା ଦ୍ବାରା ଅଙ୍ଗାରକାମ୍ଳ କମ ନିର୍ଗତ ହୋଇଥାଏ । ଏହି ମେସିନର 2 ପାର୍ଶ୍ବରେ ଷ୍ଟିଲ ଲାଗିଥିବାରୁ ତାପମାତ୍ରା କ୍ଷୟ ହୋଇନଥିବା ସହିତ କମ କାଠର ଆବଶ୍ୟକ ପଡିଥାଏ ।
ବର୍ତ୍ତମାନ କୋରୋନା ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ ସ୍ଥିତି ସୁଦୃଢ ନାହିଁ । ଏହି ମେସିନରେ ଅନ୍ତିମ ସଂସ୍କାର କରିବା ଦ୍ବାରା ଅଧିକ କାଠର ମଧ୍ୟ ଆବଶ୍ୟକ ନାହିଁ । ଫଳରେ କମ କାଠରେ ମଧ୍ୟ ନିଜ ଆତ୍ମୀୟସ୍ବଜନଙ୍କ ଅନ୍ତିମ ସଂସ୍କାର କରିପାରିବେ । ଏହି ମେସିନଟି ପୋର୍ଟେବଲ ଅର୍ଥାତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁଥିବା ବେଳେ ଲୋକଙ୍କ ଲାଗି ଏହା ସହଜ ହେବ ବୋଲି ଜଣାପଡିଛି ।
@ANI