ନୂଆଦିଲ୍ଲୀ: ଦେଶରେ କ୍ରମଶଃ ମାଡିଚାଲିଛି ଓମିକ୍ରନ(Omicron ) । ଯାହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଏପରିସ୍ଥଳେ ଯଥାଶୀଘ୍ର ଏହି ଭ୍ୟାରିଆଣ୍ଟକୁ ଚିହ୍ନଟ କରିବା ବା ଟେଷ୍ଟିଂ ବୃଦ୍ଧି କରିବା ଜରୁରୀ ହୋଇପଡିଛି । ଯାହାକୁ ଦୃଷ୍ଟିରେ ରଖି କମ୍ ସମୟରେ ଓମିକ୍ରନ(Omicron ) ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ RT-PCR ଆଧାରିତ ନୂଆ କୋଭିଡ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛି ଦିଲ୍ଲୀ IIT(Indian Institute of Technology) । IIT ଗବେଷକଙ୍କ ଦ୍ବାରା ବିକଶିତ ଏହି କିଟ୍ ମାଧ୍ୟମରେ ମାତ୍ର ୯୦ ମିନିଟ୍ ମଧ୍ୟରେ ଓମିକ୍ରନ ଭଳି କୋରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇପାରିବ ବୋଲି ଜଣାପଡିଛି ।
ଉକ୍ତ କିଟ୍ ସାହାଯ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଭଳି ବିଭିନ୍ନ ମ୍ୟୁଟେସନ ଚିହ୍ନଟ କରାଯାଇପାରିବ । ବର୍ତ୍ତମାନ ବିଶ୍ବବ୍ୟାପୀ ଏହି ନୂତନ ଭ୍ୟାରିଆଣ୍ଟର ଚିହ୍ନଟୀକରଣ ବା ସ୍କ୍ରିନିଂ ସିକ୍ୟୁଏନ୍ସିଂ ଆଧାରିତ ପ୍ରକ୍ରିୟା ମାଧ୍ୟମରେ କରାଯାଉଛି । ଯେଉଁଥିପାଇଁ ୩ ଦିନ ସମୟ ଲାଗୁଛି । ହେଲେ IIT ଦ୍ବାରା ବିକଶିତ RT-PCR ଆଧାରିତ କିଟ୍ ଜରିଆରେ ମାତ୍ର ୯୦ ମିନିଟ୍ ମଧ୍ୟରେ ନୂଆ ଭ୍ୟାରିଆଣ୍ଟର ଚିହ୍ନଟ ହେବ । ନିକଟରେ IIT ଦିଲ୍ଲୀ ଦ୍ବାରା ପ୍ରସ୍ତୁତ କିଟ୍ ICMR ଅନୁମୋଦନ ଲାଭ କରିଛି ।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଭାରତରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି । ଆଜସୁଦ୍ଧା ମୋଟ ୪୧ ଜଣ ଏହି ନୂଆ ଭ୍ୟାରିଆଣ୍ଟରେ ସଂକ୍ରମିତ ଥିବା ଚିହ୍ନଟ ହୋଇଥିବାବେଳେ ଆଗକୁ ମଧ୍ୟ ସଂଖ୍ୟା ବଢିବ ବୋଲି କୁହାଯାଉଛି । ଏପରିସ୍ଥଳେ ଏହି ନୂଆ କୋଭିଡ ଟେଷ୍ଟିଂ କିଟ୍ ଜରିଆରେ ଟେଷ୍ଟିଂ ବୃଦ୍ଧି କରାଯାଇପାରିବ ।
@IANS