ନୂଆଦିଲ୍ଲୀ: ସୋମବାର ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନର ମତଦାନ ପ୍ରକ୍ରିୟା । ଆସନ୍ତା ୨୧ରେ ବାହାରିବ ଫଳାଫଳ । ଗତକାଲି ସଂସଦରେ ଭୋଟ ଦେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଓଡିଶାର କୋରାପୁଟ ଜିଲ୍ଲାର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ରାଷ୍ଟ୍ରପତି ନିର୍ବାଚନରେ ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତେବେ ମୁଁ ଖୁସି ହେବି । ନୂଆଦିଲ୍ଲୀରେ ଇଟିଭି ଭାରତକୁ ସାକ୍ଷାତକାର ଦେଇ ଏପରି ମତ ରଖିଛନ୍ତି କୋରାପୁଟ ସାଂସଦ ।
ସାକ୍ଷାତକାରରେ ସେ କହିଛନ୍ତି ଯେ, ''ପ୍ରଥମ ଥର ପାଇଁ ଭୋଟ ଦେଇ ବହୁତ ଖୁସି ଅଛି, NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିର୍ବାଚନରେ ବିଜୟୀ ହୋଇ ରାଇସିନାକୁ ଆସିବା ଉଚିତ ।" ସେ ଆହୁରୁ ମଧ୍ୟ କହିଛନ୍ତି, ''ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବାକୁ ଉତ୍ସାହିତ ଥିଲି । ଏହା କେବଳ ମୋର ଭୋଟ୍ ନୁହେଁ, ବରଂ ଏହା ମୋ ନିର୍ବାଚନମଣ୍ଡଳୀର 16 ଲକ୍ଷ ଲୋକଙ୍କ ଭୋଟ୍ ।'' ସୋମବାର ରାଷ୍ଟ୍ରପତି ନିର୍ବାଚନ ପଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ 21 ତାରିଖରେ ଭୋଟ ଗଣତି ତାରିଖ ରହିଛି ।
ସକାଳ ୧୦ଟାରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ଶେଷ ହୋଇଥିଲା। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ସଦସ୍ୟଙ୍କ ବ୍ୟତୀତ ସଂସଦର ଉଭୟ ଗୃହର ସମସ୍ତ ନିର୍ବାଚିତ ସାଂସଦ ଓ ସମସ୍ତ ରାଜ୍ୟର ବିଧାନସଭା ଓ ବିଧାନମଣ୍ଡଳର ସଦସ୍ୟମାନେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ସାଂସଦମାନେ ସଂସଦ ଭବନରେ ମତଦାନ କରିଥିବାବେଳେ, ବିଧାୟକମାନେ ନିଜ ନିଜ ବିଧାନସଭାରେ ମତାଧିକାର ସାବ୍ୟସ୍ତ କରିଥିଲେ ।
ସଂସଦ ଭବନରେ ମୋଟ ୭୨୭ ସାଂସଦ ଓ ୯ ଜଣ ବିଧାୟକଙ୍କୁ ମିଶାଇ ୭୩୬ ସଦସ୍ୟଙ୍କ ଭୋଟ ଦାନ ପାଇଁ ନିର୍ବାଚନ କମିଶନ ଅନୁମତି ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୭୩୦ ସଦସ୍ୟ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ସଂସଦରେ ମୋଟ ମତଦାନ ହାର ୯୯.୧୮% ପଞ୍ଜୀକୃତ ହୋଇଥିବା ସଂସଦରେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ଦାୟିତ୍ବରେ ଥିବା ତଥା ରାଜ୍ୟସଭା ସଚିବ ପି.ସି ମୋଦି ସୂଚନା ଦେଇଥିଲେ।