ପାଟନା: ଝିଅଙ୍କୁ ସାନୀଟାରୀ ପ୍ୟାଡ ଯୋଗାଇବା କଥା କହିବାରୁ ଅତି ଅସମ୍ବେଦନଶୀଳ ମନ୍ତବ୍ୟ ଦେଲେ ବିହାର ମହିଳା ଓ ଶିଶୁ ବିକାଶ ଅଧ୍ୟକ୍ଷା (Bihar IAS officers controversial statement)। କହିଲେ ଆଜି ପ୍ୟାଡ୍ ମାଗୁଛ କାଲି ପରିବାର ନିୟୋଜନ ପାଇଁ ନିରୋଧ ମାଗିବ । ମହିଳା IAS ଅଧିକାରୀଙ୍କ ଏଭଳି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଛାତ୍ରୀଙ୍କ ଜଣଙ୍କ ଦାବିକୁ ନେଇ ସ୍ପଷ୍ଟୋକ୍ତି ଦେବାରୁ ତାଙ୍କୁ ପାକିସ୍ତାନ ଚାଲିଯିବାକୁ ମଧ୍ୟ କହିଛନ୍ତି ମହିଳା IAS ଅଧିକାରୀ । ଏହାକୁ ନେଇ ବର୍ତ୍ତମାନ ଜାତୀୟ ମହିଳା କମିଶନ ଉକ୍ତ ମହିଳା IAS ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।
'ସଶକ୍ତ ବେଟିୟାଁ, ସମୃଦ୍ଧ ବିହାର' ଅଭିଯାନରେ ପାଟନାରେ ଗରୁବାର ଏକ ଦିନିକିଆ କର୍ମଶାଳା ରହିଥିଲା । ଏହି କର୍ମଶାଳାରେ ବିହାରର ଅନେକ ଛାତ୍ରୀ ଆସି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଶକ୍ତ ମହିଳାଙ୍କ ବିଷୟରେ ଆଲୋଚନା ହେଉଥିଲା । ଏହି ସମୟରେ ଜଣେ ଛାତ୍ରୀ ସରକାରଙ୍କ ତରଫରୁ ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ମହିଳା IAS ଅଧିକାରୀ ହରଜିତ କୌର ଯେଉଁ ଜବାବ ଦେଇଥିଲା ତାହା ପ୍ରତ୍ୟେକଙ୍କ ଲଜ୍ଜିତ କରିବା ସହ ଆଶ୍ଚର୍ଯ୍ୟଚକିତ କରିଥିଲା ।
ମହିଳା IAS ଅଧିକାରୀ ହରଜିତ କୌର କହିଥିଲେ, "ଆଜି ସାନିଟାରୀ ପ୍ୟାଡ୍ ମାଗୁଛ, କାଲି ଜିନ୍ସ ପ୍ୟାଣ୍ଟ ମାଗିବ, ଟିକେ ସୁନ୍ଦରତା ଆସିବା ପରେ ଜୋତା ବି ମାଗିବ । ଶେଷରେ ପରିବାର ନିୟୋଜନ ପାଇଁ ନିରୋଧ ମଧ୍ୟ ମାଗିବ । ସରକାରଙ୍କଠାରୁ ନେବା ଆବଶ୍ୟକତା କଣ ? ଏହି ଚିନ୍ତାଧାରା ଭୁଲ୍, କିଛି ନିଜେ ବି କର ।"
ମିଲର ସ୍କୁଲର ଜଣେ ଛାତ୍ରୀ କହିଥିଲେ, 'ବର୍ତ୍ତମାନ ରାଜ୍ୟର ଅନେକ ସ୍କୁଲ୍ରେ ଝିଅଙ୍କ ପାଇଁ ଥିବା ଶୌଚାଳୟ ଭାଙ୍ଗିଛି । କେତେକ ସମୟରେ ଏହି ଶୌଚାଳୟରେ ପୁଅମାନେ ବି ପଶି ଆସୁଛନ୍ତି । ଶୌଚାଳୟକୁ ପାଣି ଆସୁନି ।' ଏହାକୁ ନେଇ ଜବାବରେ ହରଜିତ କୌର କହିଥିଲେ, 'ତୁମ ଘରେ ଅଲଗାଅଲଗା ଶୌଚାଳୟ ରହିଛି କି । ସବୁବେଳେ ଅଲଗା ଅଲଗା ଦାବି କଲେ ଚଳିବନି । ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ନାନା ଅଭିଯାନ ଚଳାଇଛନ୍ତି । ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।' କେବଳ ଭୋଟ ପାଇଁ ସରକାର ଟଙ୍କା ଦେଉଥିବା ଅଭିଯୋଗ କରିଥିଲେ ଛାତ୍ରୀ । ଏହାପରେ ମହିଳା IAS ଅଧିକାରୀ ତାଙ୍କୁ ପାକିସ୍ତାନ ଚାଲିଯିବାକୁ ପରାମର୍ଶ ଦେଇଥିଲେ ।
ଏକ ମହିଳା ସଶକ୍ତକରଣ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଏଭଳି ଭାବନା ରଖିଥିବା IAS ଅଧିକାରୀଙ୍କ ବୟାନରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମହିଳା କମିଶନ । ଏଭଳି ବିବାଦୀୟ ମନ୍ତବ୍ୟ ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଛି ।