ହାଇଦ୍ରାବାଦ: ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାର ଏକ ଗ୍ରାମ ନିକଟ କ୍ଷେତରେ ଜରୁରୀ ଅବତରଣ କରିଛି ଭାରତୀୟ ବାୟୁସେନାର ଏକ ହେଲିକପ୍ଟର । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିବା ବେଳେ ଉଭୟ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦ ଉପକଣ୍ଠ ହାକିମପେଟରେ ଥିବା ବାୟୁସେନା ପ୍ରଶିକ୍ଷଣ ଏକାଡେମୀରୁ ଏହି ହେଲିକପ୍ଟରଟି ଉଡାଣ ଭରିଥିବା ବେଳେ ମଝି ଆକାଶରେ କିଛି ଯାନ୍ତ୍ରିକ ତ୍ରୁଟିର ସାମ୍ନା କରିଥିଲା । ପରେ ନିକଟସ୍ଥ ଏକ କ୍ଷେତରେ ଜରୁରୀ ଅବତରଣ କରାଇଥିଲେ ଦୁଇ ପାଇଲଟ ।
ତେବେ ପାଇଲଟଙ୍କ ଠାରୁ ସୂଚନା ପାଇବା ପରେ ପ୍ରଶିକ୍ଷଣ ଏକାଡେମୀରୁ ଯାନ୍ତ୍ରିକ ସହାୟତା ସହ ଅନ୍ୟ ଏକ ହେଲିକପ୍ଟର ମଧ୍ୟ ଲ୍ୟାଣ୍ଡିଂ ସ୍ପଟକୁ ପଠାଯାଇଥିଲା ।ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ଭିଡ ନିୟନ୍ତ୍ରଣ କରାଯାଇଥିଲା । ପରେ ଯାନ୍ତ୍ରିକ ତ୍ରୁଟି ମରାମତି ହେବା ପରେ ଉଭୟ ହେଲିକପ୍ଟର ସୁରକ୍ଷିତ ଭାବେ ପ୍ରଶିକ୍ଷଣ ଏକାଡେମୀକୁ ଫେରିଯାଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ