ଚେନ୍ନାଇ: କତାରରେ ଆରମ୍ଭ ହୋଇଛି ବିଶ୍ବକପ୍ ଫୁଟବଲ୍ । ଏଥିପାଇଁ ତାମିଲନାଡ଼ୁରୁ ୧ କୋଟି ୫୦ ଲକ୍ଷ ଅଣ୍ଡା ରପ୍ତାନୀ ହୋଇଛି (eggs exported from Namakkal to Qatar)। ତାମିଲନାଡ଼ୁର ନାମକ୍କାଲରୁ ଏହି ଅଣ୍ଡା ରପ୍ତାନୀ କରାଯାଇଛି । ଏଥିପାଇଁ ପ୍ରାୟ ୧୦୦୦ଟି କୁକୁଡ଼ା ଫାର୍ମରୁ ଅଣ୍ଡା ସଂଗ୍ରହ କରାଯାଇଥିଲା ।
ନମକ୍କାଲ ଜିଲ୍ଲାରୁ ଅଣ୍ଡା କେବଳ ତାମିଲନାଡ଼ୁ ନୁହେଁ ବରଂ ଦେଶବିଦେଶକୁ ରପ୍ତାନୀ କରାଯାଉଛି । ବିଶେଷ କରି ସାଉଦି ଆରବ, ଇରାନ, ଇରାକ୍, ଓମାନ, ବାହାରିନ୍ ଓ ମାଳଦ୍ବୀକୁ ଏଠାରୁ ଅଣ୍ଡା ରପ୍ତାନୀ ହୋଇଥାଏ । ଚଳିତ ଥର ପ୍ରାୟ ୨ କୋଟି ଅଣ୍ଡା ରପ୍ତାନୀ କରାଯାଇଛି । ସେଥିମଧ୍ୟରେ କତାରକୁ ସର୍ବାଧିକ ଅଣ୍ଡା ରପ୍ତାନୀ କରାଯାଉଛି ।
ବର୍ତ୍ତମାନ କତାରରେ ବିଶ୍ବକପ୍ ଫୁଟବଲ ଆୟୋଜନ ହେଉଛି । ଏଣୁ ଏଠାରେ ଲକ୍ଷଲକ୍ଷ ପର୍ଯ୍ୟଟକ ଆସି ପହଞ୍ଚିଛନ୍ତି । ତା ସହିତ ୩୨ଟି ଦେଶର ଖେଳାଳି ବିଶ୍ବକପ ଟାଇଟଲ ହାତେଇବାକୁ ଏଠାରେ ଲଢ଼େଇ କରୁଛନ୍ତି । ଏଥିପାଇଁ କତାରରେ ବର୍ତ୍ତମାନ ଅଣ୍ଡାର ଚାହିଦା ବୃଦ୍ଧି ପାଇଛି । ଏହାପୂର୍ବରୁ ପ୍ରତିମାସରେ କତାରକୁ ୫୦ ଲକ୍ଷ ଅଣ୍ଡା ରପ୍ତାନୀ କରାଯାଉଥିଲା । କିନ୍ତୁ ଚଳିତ ଥର ତିନି ଗୁଣ ଅଧିକ ରପ୍ତାନୀ କରିବାକୁ ପଡ଼ିଛି ।
ଏହାକୁ ନେଇ ଅବଦୁଲ ରେହମାନ ନାମକ ଅଣ୍ଡା ବ୍ୟବସାୟୀ କହିଛନ୍ତି, "ଫୁଟବଲ ବିଶ୍ବକପ ଯୋଗୁଁ ନାମକ୍କାଲ ଜିଲ୍ଲାରେ ଅଣ୍ଡା ରପ୍ତାନୀ ବୃଦ୍ଧି ପାଇଛି । ସଠାରେ ଅଣ୍ଡାର ଚାହିଦା ବୃଦ୍ଧି ପାଇଛି । ଏହାଦ୍ବାରା ଆମେ ମଧ୍ୟ ଲାଭବାନ ହୋଇ ପାରିଛୁ ।"
ପୂର୍ବରୁ କତାରକୁ ୧୦ଟି କଣ୍ଟେନର୍ରେ ଅଣ୍ଡା ରପ୍ତାନୀ ହେଉଥିଲା, କିନ୍ତୁ ବର୍ତ୍ତମାନ ୩୦ କଣ୍ଟେନର୍ରେ ଅଣ୍ଡା ରପ୍ତାନୀ ହେଉଛି । ଗତ ମାସକୁ ମିସାଇଲେ ସମସ୍ତ ଦେଶକୁ ମୋଟ ୪ କୋଟି ଅଣ୍ଡା ରପ୍ତାନୀ କରାଯାଇଛି ।