ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲିରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲାରେ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତ ଅଭିଷେକ ହିରେମାଥକୁ 30 ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତାଙ୍କୁ ଆଜି ହୁବଲୀ କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ଜେଲକୁ ପଠାଇ ଦେଇଛନ୍ତି । ହୁବଲି JMFC କୋର୍ଟ ଏହି ବହୁଚର୍ଚ୍ଚିତ ହିଂସାକାଣ୍ଡର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ଅଭିଷେକ ଏକ ବିଭ୍ରାନ୍ତିକର ଭିଡିଓ ପୋଷ୍ଟ କରିବା ପରେ ହିଂସା ବ୍ୟାପକ ହୋଇଥିବା ଦର୍ଶାଇ କୋର୍ଟର ମାମଲା ଦାଏର ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା ।
ଏବେ ଯାଏ ଗିରଫ ହେଲେଣି 100ରୁ ଊର୍ଦ୍ଧ୍ବ ଅଭିଯୁକ୍ତ:
ଏବେ ସୁଦ୍ଧା ପ୍ରାୟ 100 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଫରଓ୍ବାଡ କରିସାରିଛି । ସ୍ଥାନୀୟ ଅଞ୍ଚଳରେ ସ୍ଥିତିରେ ପରିବର୍ତ୍ତନ ଆସିଛି । ଶାନ୍ତି ଫେରିଛି ଓ ଜୀବନ ଯାତ୍ରା ସ୍ବାଭାବିକ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି । ପୋଲିସ ପ୍ରଶାସନ ଯେକୌଣସି ଅପ୍ରୀତିକର ସ୍ଥିତି ଉପରେ ନଜର ରଖିଛନ୍ତି । ଅନ୍ୟ ପଟେ ଘଟଣାର ତଦନ୍ତ ମଧ୍ୟ ଜାରି ରହିଥିବା ସ୍ଥାନୀୟ ପୋଲିସ କହିଛି ।
ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ବ୍ୟାପକ ହିଂସା ପରେ ଏକାଧିକ ବ୍ୟକ୍ତି ଆହତ ହେବା ସହ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ