ଲକ୍ଷ୍ନୌ: ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିର୍ଜାପୁର ଜିଲ୍ଲାର ବିନ୍ଧ୍ୟାଚଳରେ ପହଞ୍ଚି ମା’ ବିନ୍ଧ୍ୟବାସିନୀଙ୍କ ଦର୍ଶନ ଓ ପୂଜନ କରିଛନ୍ତି । ଏହାପରେ ବିନ୍ଧ୍ୟ କରିଡର ପାଇଁ ଭୂମୀ ପୂଜନ କରିଥିଲେ । ପରେ ଗୃହମନ୍ତ୍ରୀ ଅମିତ ଶାହା ଜିଆଇସି ସ୍ଥିତ ପଡିଆରେ ରୋପ-ଓ୍ବେର ଲୋକାର୍ପଣ କରି ଆୟୋଜିତ ସଭାରେ ସମ୍ବୋଧିତ କରିଛନ୍ତି ।
ଜିଆଇସି ପଡିଆରେ ଜନସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ମିର୍ଜାପୁର, ଚନ୍ଦୌଲି ଏବଂ ସୋନଭଦ୍ର ନକ୍ସଲବାଦ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇସାରିଛି । ଉତ୍ତରପ୍ରଦେଶରେ ୧,୫୭୪ କୋଟି ଟଙ୍କାର ମାଫିଆଙ୍କ ସମ୍ପତ୍ତି ଜବତ କରାଯାଇଛି । ଲୁଟ, ଡକାୟତି, ହତ୍ୟା ପରି ଘଟଣାରେ ୨୮ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ ହୋଇଛି ।
ସେ କହିଛନ୍ତି, ଆଗରୁ ଉତ୍ତରପ୍ରଦେଶରେ ଖୋଲାଖୋଲି ଭାବେ ମାଫିଆ ମାନେ ବିଚରଣ କରୁଥିଲେ । ହେଲେ ଆଜି ମାଫିଆରାଜ ଶେଷ ହୋଇଯାଇଛି । କେବଳ ସେତିକି ନୁହଁ ଆଜି ଉତ୍ତରପ୍ରଦେଶରେ ମହିଳା ମାନେ ସୁରକ୍ଷିତ ମନେକରୁଛନ୍ତି । ପାଖାପାଖି ୩.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଉତ୍ତରପ୍ରଦେଶକୁ ଆଣିବାର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ବୋଲି ଅମିତ ଶାହା କହିଛନ୍ତି ।