ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଟ୍ ଆଣ୍ଡ ଡ୍ରାଗ୍ ମାମଲା । ବାଇକକୁ ଧକ୍କା ଦେବା ପରେ ଯୁବକଙ୍କୁ 100 ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା କାର। ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ଆର ଆର ନଗର ମେଟ୍ରୋ ଷ୍ଟେସନ ନିକଟରେ। ମୃତକ ଜଣକ ଫୁଡ ଡେଲିଭରି ବୟ ବୋଲି ଜଣା ପଡ଼ିଛି ।
କିଛି ମଦ୍ୟପ ଯୁବକ କାର ଆସୁଥିବା ବେଳେ ଡେଲିଭରି ବୟଙ୍କ ବାଇକକୁ ଧକ୍କା ଦେଇଥିଲେ। ଏହାପରେ କାରଟି ଯୁବକ ଜଣଙ୍କୁ 100 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ କାରର ଡ୍ରାଇଭର ବିନୟକୁ କାବୁ କରି ପୋଲିସର ଜିମା ଦେଇଥିଲେ ।
କାରର ଡ୍ରାଇଭର ବିନୟର ଘର ବିଜୟନଗରରେ । ସେ ମହେନ୍ଦ୍ରା ସୋ' ରୁମରେ କାର୍ଯ୍ୟ କରନ୍ତି । ରବିବାର ଦିନ ବିନୟଙ୍କୁ ଦରମା ମିଳିଥିଲା। ଏଥି ପାଇଁ ସେ ତାଙ୍କ ସାଙ୍ଗଙ୍କ ପାଇଁ ପାର୍ଟିର ଆୟୋଜନ କରିଥିଲେ । ପାର୍ଟିରେ ସମସ୍ତେ ମଦ୍ୟପାନ କରି କାର ଯୋଗେ ଘରକୁ ଫେରୁଥିଲେ । କିନ୍ତୁ ବେପରୁଆ ଗାଡି ଚାଳନା ଯୋଗୁଁ ଆର ଆର ନଗର ମେଟ୍ରୋ ଷ୍ଟେସନ ନିକଟରେ ବାଇକରେ ଯାତ୍ରା କରୁଥିବା ଫୁଡ୍ ଡେଲିଭରି ବୟ ପ୍ରସନ୍ନଙ୍କୁ ଧକ୍କା ଦେଇଥିଲା କାର । ଏହାପରେ ଯୁବକ ଜଣଙ୍କୁ କାରଟି 100 କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା ।
ତେବେ ଘଟଣାସ୍ଥଳରୁ ଯୁବକଙ୍କୁ ବଞ୍ଚାଇବା ପରିବର୍ତ୍ତେ ସମସ୍ତେ ଗାଡିରୁ ବାହାରି ଦୌଡି ପଳାଇଥିଲେ । କିନ୍ତୁ ଡ୍ରାଇଭର ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସର ତଦନ୍ତ ପରେ ଡ୍ରାଇଭର ମଦ୍ୟପାନ କରିଥିବା ଜଣାପଡିଛି । ବାଟାରାୟଣପୁର ଟ୍ରାଫିକ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଜାରି ରଖିଛି । ତେବେ କାରରେ କେତେ ଜଣ ଯୁବକ ଯୁବତୀ ଥିଲେ ତାହା ସ୍ପଷ୍ଟ ହୋଇନି । ଡ୍ରାଇଭରକୁ ପଚରାଉଚରା ପରେ ତାହା ସ୍ପଷ୍ଟ ହେବ।
ଗତ ବର୍ଷ ଡିସେମ୍ବର 31ରାତିରେ ନୂଆଦିଲ୍ଲୀରେ ଏହି ପରି ସମାନ ଘଟଣା ସାମ୍ନାକୁ ଆସିଥିଲା। ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ କାରରେ ବସିଥିବା 5 ଜଣ ଯୁବକ ଧକ୍କା ଦେଇଥିଲେ । ଏହାପରେ ଯୁବତୀ କାର ତଳେ ଫସିଯାଇଥିବା ବେଳେ ସେମାନେ ତାଙ୍କୁ 12 କିମି ଘୋଷାଡ଼ି ନେଇଥିଲେ । ଫଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଜାନୁଆରୀ 5 ତାରିଖରେ ଦିଲ୍ଲୀରେ ଏକ ଟ୍ୟାକ୍ସି ଡେଲିଭରି ବୟଙ୍କ ବାଇକକୁ ଧକ୍କା ଦେବା ପରେ ଘୋଷାଡି ନେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଟ୍ୟାକ୍ସି ଡ୍ରାଇଭର ଡେଲିଭରି ବୟଙ୍କୁ ୫ଶହ ମିଟର ଘୋଷାଡି ନେଇଥିଲେ ।