ଅମୃତସର: ବାଠିଣ୍ଡା ସହରର ପ୍ରସିଦ୍ଧ ଐତିହାସିକ ଶୋଭାରାଜି କିଲା ମୁବାରକ। ପଞ୍ଜାବର ମାଲୱା ଅଞ୍ଚଳ ସ୍ଥିତ କିଲା ମୁବାରକ ଭାରତ ଇତିହାସର ଏକ ସ୍ବର୍ଣ୍ଣିମ ଅଧ୍ୟାୟ କହିଲେ ଅତ୍ୟୁକ୍ତି ହେବ ନାହିଁ । କିଲାର ବିଶାଳ ଦ୍ବାର ଓ ଉଚ୍ଚ କାନ୍ଥ ଦୁର୍ଗର ମହାନତାର ଭବ୍ୟ କାହାଣୀ ବଖାଣୁଛି। ରାଜା ଦାବ୍ ଏହି ପ୍ରସିଦ୍ଧ ଦୁର୍ଗ ନିର୍ମାଣ କରିଥିବା ନେଇ ମତ ଦିଅନ୍ତି ଗବେଷକ । ପୂର୍ବରୁ କିଲା ମୁବାରକ ବିକ୍ରମଗଡ ଦୁର୍ଗ ଭାବେ ପରିଚିତ ଥିଲା। ପରେ ରାଜା ଜୟପାଲ ଏହାକୁ ଜୟପାଲଗଡ଼ ନାମରେ ନାମିତ କରିଥିଲେ। କୁହାଯାଏ ରାଜା ଦାବ୍ ବିନୟପାଲଙ୍କ ବଂଶଜ ଥିଲେ। ମତରହିଛି, ମାହମୁଦ ଗଜନଭି, ମହମ୍ମଦ ଘୋରୀ ଓ ରାଜା ପୃଥ୍ବୀରାଜ ଚୌହାନ କିଲା ମୁବାରକ ଉପରେ ବିଜୟ ହାସଲ କରିଥିଲେ। ଫଳସ୍ବରୂପ, ଏହି ଦୁର୍ଗ ତାବର-ଏ-ହିନ୍ଦ ନାମରେ ମଧ୍ୟ ଜଣାଶୁଣା।
ମଧ୍ୟଯୁଗରେ ଭଟ୍ଟି ରାଓ ରାଜପୁତ କିଲା ମୁବାରକର ପୁନଃନିର୍ମାଣ କରିଥିଲେ। ଏହାପରେ ଦୁର୍ଗ ଭଟ୍ଟି ୱିଣ୍ଡା ନାମରେ ନାମିତ ହେଲା। ଏହିଭଳି ଭାବରେ ଏହି ପ୍ରସିଦ୍ଧର ଐତିହାସିକ ସହରର ନାମ ପ୍ରଥମେ ବାଟିଣ୍ଡା ଓ ପରେ ବାଠିଣ୍ଡା ରଖାଗଲା। 1707 ମସିହାରେ ଯେତେବେଳେ ଗୁରୁ ଗୋବିନ୍ଦ ସିଂ ଦୁର୍ଗକୁ ଆସିଥିଲେ, ସେତେବେଳେ ଦୁର୍ଗର ନାମ ଗୋବିନ୍ଦଗଡ଼ ରଖାଯାଇଥିଲା। ଖାଲି ସେତିକି ନୁହେଁ, ଦିଲ୍ଲୀ ସଲତନତର ପ୍ରଥମ ମହିଳା ଶାସକ ରଜିଆ ସୁଲତାନ 1239 ମସିହାରେ ରାଜା ଅଲତୁନିଆ ବିଦ୍ରୋହକୁ ଦମନ କରିବାକୁ ଆସିଥିଲେ। ସେହି ସମୟରେ ରାଜା ଅଲତୁନିଆ ବାଠିଣ୍ଡା ଦୁର୍ଗରେ ରଜିଆ ସୁଲତାନଙ୍କୁ ବନ୍ଦୀ କରିଥିଲେ। ସେ ଏହି ଦୁର୍ଗର ରାଣୀ ମହଲରେ ପ୍ରାୟ ଦୁଇ ମାସ ଧରି ବନ୍ଦୀ ହୋଇ ରହିଥିଲେ।
ପଞ୍ଜାବବାସୀଙ୍କ ପାଇଁ କିଲା ମୁବାରକ କେବଳ ଭାଠିଣ୍ଡା ନୁହେଁ, ସମଗ୍ର ପଞ୍ଜାବର ଗର୍ବ। ସ୍ଥାନୀୟ ଲୋକଙ୍କ ମୁତାବକ ସ୍ଥାନୀୟ ପ୍ରଶାସନ ଓ ସରକାରୀ ଅବହେଳା ଯୋଗୁଁ କିଲା ମୁବାରକ ନିଜର ସୌନ୍ଦର୍ଯ୍ୟ ହରାଇବାକୁ ବସିଛି।
ଇତିହାସକାରଙ୍କ ମତରେ ରଜିଆ ସୁଲତାନା ପ୍ରତ୍ୟେକ ସଂଧ୍ୟାରେ ରାଣୀ ମହଲର ଝରକା ପାଖରେ ବସୁଥିଲେ। ଏହି ସ୍ଥାନରେ ବସି ସେ ମୀନା ବଜାରର ମନୋରମ ଦୃଶ୍ୟକୁ ଉପଭୋଗ କରୁଥିଲେ। ଆଜି ବି ଯେତେବେଳେ ପର୍ଯ୍ୟଟକମାନେ ଏହି ଦୁର୍ଗକୁ ଆସନ୍ତି, ଏହାର ଶୀର୍ଷରୁ ବାଠିଣ୍ଡାର ଏହି ଚମତ୍କାର ଦୃଶ୍ୟ ଦେଖି ମନ୍ତ୍ରମୁଗ୍ଧ ହୋଇଯାଆନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ