ମୁମ୍ବାଇ: ମାୟାନଗରୀରେ ଛେଚୁଛି ବର୍ଷା । ରାତିସାରା ପ୍ରବଳ ବର୍ଷା ହେବାରୁ ବେହାଲ ହୋଇଛି ମୁମ୍ବାଇ ସହର । ଗୁରୁବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ସହର ଅପେକ୍ଷା ଉପାନ୍ତ ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ ହୋଇଛି ।
ଅନବରତ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ସେମା ଅଞ୍ଚଳରେ ଜଳବନ୍ଦୀ ହୋଇଛି । ସହରର ନିମ୍ନ ଅଞ୍ଚଳରେ ଜଳସ୍ତର ବଢିବା ହେତୁ ସଡକ ଯାତାୟତ ସହିତ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁରୁବାର ରାତିସାରା ବର୍ଷା ହେବା କରାଣରୁ ମୁମ୍ବାଇର ହିନ୍ଦମାତା, କିଙ୍ଗ ସର୍କଲ, ସିଓନ୍, ଅନ୍ଧେରୀ, ସବୱେ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାତାୟତ ବାଧାପ୍ରାପ୍ତ ହେବାରୁ ଗାଡିର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।
ବର୍ଷା ଯୋଗୁଁ ଜଳସ୍ତର ସୃଷ୍ଟି ହୋଇ ରେଳସେବା ବାଧାପ୍ରାପ୍ତ ହୋଇଛି । ଏ ନେଇ କୁର୍ଲା ଏବଂ ବିଦ୍ୟାବିହାର ମଧ୍ୟରେ ସ୍ଥାନୀୟ ଟ୍ରେନ୍ 20ରୁ 25 ମିନିଟ୍ ବିଳମ୍ବରେ ଚାଲୁଛି । ରେଳଧାରଣାରେ ପାଣି ଜମିବାରୁ ସିଓନରେ ଟ୍ରାଫିକ ବନ୍ଦ ହୋଇଛି । ଆଗାମୀ 3 ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଗତ 24 ଘଣ୍ଟା ଭିତରେ 25 ସେମି ବର୍ଷା ରେକର୍ଡ ହୋଇଛି । ମୁମ୍ବାଇର ସାନ୍ତାକ୍ରୁଜରେ ଅଧିକ ବର୍ଷା ହୋଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ