ବେଙ୍ଗାଲୁରୁ: ଗତ ଦୁଇଦିନ ହେବ କର୍ଣ୍ଣାଟକରେ ପ୍ରବଳ ବର୍ଷା ଲାଗି ରହିଛି । ଦକ୍ଷିଣ ପୂର୍ବ ଆରବ ସାଗରରେ ସାଇକ୍ଲୋନିକ ପ୍ରଭାବ ବର୍ଷାର କାରଣ ହୋଇଛି । ପ୍ରବଳ ବର୍ଷା କାରଣରୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘରେ ପାଣି ପଶିଯାଇଛି ଫଳରେ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି । ଆଗାମୀ 3 ଦିନ ଆହୁରି ବର୍ଷା ନେଇ ଆଜି (ଶୁକ୍ରବାର) କ୍ୟାପିଟାଲ ସିଟିକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅନେକ ସ୍ଥାନରେ ଗଛ ପଡିଛି । ସମଗ୍ର ବେଙ୍ଗାଲୁରୁ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି । ରାସ୍ତାଗୁଡିକ ନଦୀ ପରି ହୋଇଛି ଫଳରେ ମୋଟରଚାଳକଙ୍କ ପାଇଁ ସମସ୍ୟା ଉପୁଜିଛି । ସହରର ଦକ୍ଷିଣ ଭାଗ ବିଦ୍ୟାପୀଠରେ ସର୍ବାଧିକ ବର୍ଷା (72 ମିଲିମିଟର) ବର୍ଷା ହୋଇଛି । ତିନି ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ବର୍ଷାରେ ପାଖାପାଖି 50 ଘର କ୍ଷତିଗ୍ରସ୍ତ ହୋଇଛି । ସିଲିକନ୍ ସିଟିର କାମାକିଆ ଥିଏଟରର ଆଖପାଖରେ 50 ରୁ ଅଧିକ ଘର ଜଳମଗ୍ନ ହୋଇଥିଲା । ପ୍ରବଳ ବର୍ଷା ହେତୁ କାର ଏବଂ ଦୁଇଟି ଚକିଆ ଯାନ ଭାସିଯାଇଥିବା ଦେଖିବାକୁ ମିଳିଛି । ସେହିପରି ଉତ୍ତରାହଲିରେ ରାତି ତମାମ ଲୋକ ଶୋଇ ପାରିନାହାନ୍ତି । 10ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଟିଭି, ଫ୍ରିଜ୍ ସମେତ ଅନେକ ଉପକରଣ ବନ୍ୟାରେ ଭାସିଯିବା ସହିତ ବିରାଟ ଗଛ ଉପୁଡି ପଡିଛି ।
ରାଜଧାନୀରେ ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି । ବିଜୟାନାଗରା, ବାସଭେଶ୍ବର ନାଗର, ମଲେଶ୍ବରା, ଶାନ୍ତିନାଗର, କୋରାମଙ୍ଗାଲା, ଇନ୍ଦିରା ନାଗର, ଯଶବନ୍ତପୁରା, ଜଲାହଲ୍ଲୀ, ପେନାୟା ଆଦି ଅଞ୍ଚଳରେ ଅଧିକାଂଶ ବର୍ଷା ହୋଇଛି । ବିଶେଶ୍ବରାପୁରା 40 ମିମି ବର୍ଷା, କୋରାମଙ୍ଗାଲା 34 ମିମି, ଚାମରାଜପେଟେ 30 ମିଲିମିଟର, କଟନପେଟ 20 ମିଲିମିଟର, ୟେଲାହଙ୍କା 40 ମିମି ବର୍ଷା ହୋଇଛି ।