ନୂଆଦିଲ୍ଲୀ: କିଛି ଦିନର ବିରତି ପରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଚୀନ ସମେତ ଅନେକ ଦେଶରେ ମଧ୍ୟ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଏନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ତିନୋଟି ଦିଗରେ ବିଶେଷ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ ମାମଲା ବୃଦ୍ଧି ନେଇ ସତର୍କ ରହିବା, ବ୍ୟାପକ ପର୍ଯ୍ୟବେକ୍ଷଣ କରିବା ଏବଂ ବ୍ୟାପକ ଜିନୋମ୍ ସିକ୍ବେନ୍ସିଂ ଉପରେ ଗୁରୁତ୍ବ ଦେବାପାଇଁ ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବରିଷ୍ଠ ଡାକ୍ତର, ସ୍ବାସ୍ଥ୍ୟ ସଚିବ, ଜୈବ ପ୍ରଯୁକ୍ତି ବିଭାଗ ସଚିବ(DBT), ନ୍ସିଡିସି ମୁଖ୍ୟ ଏବଂ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଅନୁସାରେ, ଚୀନରେ ବୁଧବାର ଦିନ ୫,୨୮୦ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ ବୋଲି ସୂଚନା ମିଳିଛି । ଏଥିପାଇଁ ଚୀନର ଅନେକ ସହରରେ ଲକଡାଉନ ଘୋଷଣା କରାଯାଇଛି । ଚୀନ୍ରେ ଓମିକ୍ରନ BA2 ଭ୍ୟାରିଏଣ୍ଟ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କେବଳ ଚୀନ ନୁହେଁ, ପଶ୍ଚିମ ୟୁରୋପୀୟ ଦେଶ,ଆମେରିକା, ଜର୍ମାନୀ, ଦକ୍ଷିଣ କୋରିଆ ଭଳି ରାଜ୍ୟରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ।