ନୂଆଦିଲ୍ଲୀ: ଦୁଇଟି ଭୋଟର ପରିଚୟପତ୍ର ମାମଲାରେ ହାଇକୋର୍ଟରୁ ବଡ ଆଶ୍ବସ୍ତି ପାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ । ଏହି ମାମଲାରେ ସୁନିତାଙ୍କୁ ଟ୍ରାଏଲ କୋର୍ଟ ଦେଇଥିବା ସମନ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବିଜେପି ନେତା ହରିଶ ଖୁରାନାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ପଞ୍ଜୀକୃତ ହୋଇଥିଲା । ପୂର୍ବରୁ ଦିଲ୍ଲୀର ତିସହାଜାରି କୋର୍ଟର ମହାନଗର ନିଗମ ମାଜିଷ୍ଟ୍ରେଟ ଅରଜିନ୍ଦର କୌର ଚଳିତ ବର୍ଷ ଅଗଷ୍ଟ 29 ତାରିଖରେ ସୁନୀତା କେଜ୍ରିୱାଲଙ୍କ ବିରୋଧରେ ସମନ ଜାରି କରିଥିଲେ । ସୁନିତା ଏହି ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି (ସୋମବାର) ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଅମିତ ବଂଶଲ ତଳକୋର୍ଟଙ୍କ ଏହି ନିର୍ଦ୍ଦେଶରେ ଆସନ୍ତା ବର୍ଷ ଫେବୃଆରୀ ପହିଲା ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି ।
ସମ୍ପୂର୍ଣ୍ଣ ମାମଲା କ’ଣ ?
ବିଜେପି ନେତା ଖୁରାନା ସୁନିତା କେଜ୍ରିୱାଲଙ୍କ ବିରୋଧରେ 2019ରେ ଏହି ଅଭିଯୋଗ କରିଥିଲେ । ସୁନିତା ଦିଲ୍ଲୀର ସାହିବାବାଦରେ (ଗାଜିଆବାଦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ) ଓ ଚାନ୍ଦନୀଚୌକର ଉଭୟ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ପଞ୍ଜୀକୃତ ହୋଇଛନ୍ତି । ଯାହା ଜନ ପ୍ରତିନିଧୀ ଆଇନର ଧାରା-17ର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ । ତେବେ ଏହି ଆବେଦନକୁ ତିସହଜାରୀ କୋର୍ଟ ଶୁଣାଣି କରିବା ସହ ଅଗଷ୍ଟରେ ସୁନିତାଙ୍କୁ ସମନ ଜାରି କରିଥିଲେ । ସୁନିତା ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ବରିଷ୍ଠ ଆଇନଜୀବୀ ରେବିକା ଜନ୍ ସୁନିତାଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ହାଜର ହୋଇଥିଲେ । ସେ ଯୁକ୍ତି ବାଢିଥିଲେ ଯେ, ଜନପ୍ରତିନିଧୀ ଆକ୍ଟ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ମିଥ୍ୟା ଘୋଷଣାନାମା ଦାଖଲ କରିବେ ସେତେବେଳେ ଏହା କୌଣସି ଅପରାଧ ଭାବେ ବିବେଚିତ ହେବ । ଏହି ମାମଲାରେ ଅଭିଯୋଗକାରୀ ଖୁରାନା ସେପରି କିଛି ରେକର୍ଡର ତଥ୍ୟ ରଖିନାହାନ୍ତି । ଯାହା ପ୍ରମାଣ କରୁଛି କି ଦୁଇଟି ଭୋଟର କାର୍ଡ ବ୍ୟବହାର କରାଯାଇ କୌଣସି ମିଥ୍ୟା ଘୋଷଣାନାମା ଦାଖଲ କରାଯାଇଛି । ସେହିପରି ତଳକୋର୍ଟରେ ଉପଯୁକ୍ତ ବିଚାର ନକରି ଏହି ସମନ ଜାରି କରାଯାଇଛି ।
ସୁନିତାଙ୍କ ଓକିଲ ଜନ୍ ଆହୁରି ମଧ୍ୟ କହିଛନ୍ତି, ସମନ କରିବା ପୂର୍ବରୁ ମାଜିଷ୍ଟ୍ରେଟ୍ ଅନ୍ତତଃ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଯାଞ୍ଚ କରିପାରିଥାନ୍ତେ । ତେବେ ହାଇକୋର୍ଟ ଏହି ଯୁକ୍ତି ସହ ତଳକୋର୍ଟଙ୍କ ସମନ ଉପରେ ଫେବୃଆରୀ ପହିଲା ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ