ଚଣ୍ଡିଗଡ଼: ଭାରତୀୟ ସେନାରେ ଭର୍ତ୍ତି ହେବା ଲାଗି କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି । ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ପରେ ହରିୟାଣା ସରକାର ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରିଛନ୍ତି । ଏହି ନିର୍ଦ୍ଦେଶ ଆସିବା ପରେ ଇଣ୍ଟରନେଟ ସମେତ SMS ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ଆଜି(ଶୁକ୍ରବାର) ଅପରାହ୍ନ ୪ଟା ୩୦ ଠାରୁ ଏହି ନିୟମ ଲାଗୁ କରାଯିବ । ସୋସିଆଲ ମିଡିଆ ମାଧ୍ୟମରେ ଭୁଲ ସୂଚନା ପ୍ରସାରିତ ହେଉଥିବାରୁ ଏହାକୁ ବନ୍ଦ କରିବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ହ୍ବାଟ୍ସଆପ୍, ଫେସବୁକ, ଟ୍ବିଟର ମଧ୍ୟ ବନ୍ଦ ରହିବ । ଜରୁରୀକାଳୀନ ନିର୍ଦ୍ଦେଶ ଭାବେ ଏହାକୁ ଜାରି କରାଯାଇଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ତେବେ ସୂଚନା ଥାଉ କି ଭାରତୀୟ ସେନାରେ ନିଯୁକ୍ତି ପାଇଁ ଏହି ନୂଆ ଯୋଜନାକୁ ଅନେକ ଛାତ୍ର ବିରୋଧ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଅଗ୍ନିବୀର ଭାବେ ୪ ବର୍ଷ ପାଇଁ ଯବାନଙ୍କୁ ଦେଶ ସେବା ପାଇଁ ସୁଯୋଗ ମିଳିବ । ୪ ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ ୨୫% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଏନେଇ ଆବେଦନକାରୀଙ୍କ ବୟସ ସାଢେ ୧୭ ବର୍ଷରୁ ୨୩ ବର୍ଷ ରଖାଯାଇଛି । ପ୍ରଶିକ୍ଷଣ ଅବଧି ସମେତ ପ୍ରାର୍ଥୀଙ୍କୁ ୪ ବର୍ଷ କାର୍ଯ୍ୟକାଳ ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାରେ ନିଯୁକ୍ତି ଦିଆଯିବ ।