ହରିୟାଣା: ଭଗବାନ ଶ୍ରୀ କୃଷ୍ଣଙ୍କ ପ୍ରେମରେ ପାଗଳ ହରିୟାଣାର ସିନିୟର ଆଇପିଏସ୍ ଅଫିସର ଭାରତୀ ଅରୋରା । ଚାକିରୀରୁ ସ୍ବଇଚ୍ଛାରେ ଅବସର ଗ୍ରହଣ କରିବାକୁ ଚାହୁଁଥିଲେ । ଯାହାକୁ ହରିୟାଣା ସରକାର ଗ୍ରହଣ ନ କରି ଫେରାଇ ଦେଇଥିଲେ । ଡିଜିପି ଓ ଗୃହ ସଚିବଙ୍କ ମାଧ୍ୟମରେ ଉକ୍ତ ଅବସର ଗ୍ରହଣ ଫାଇଲଟି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ଙ୍କ ପାଖରେ ପହଞ୍ଚିଥିଲା । ବିଜ ଭାରତୀଙ୍କୁ ସଚ୍ଚୋଟ ଓ ସଫଳତମ ଅଧିକାରୀ କହିବା ସହ ଗୃହ ସଚିବ ରାଜୀବ ଅରୋରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଭାରତୀ ଅରୋରାଙ୍କୁ ବୁଝାନ୍ତୁ, ଯେମିତି ସେ VRS ଫେରାଇ ନିଅନ୍ତୁ ।
୩ ମାସ ନୋଟିସ ପିରିୟଡ ସହ ଭାରତୀଙ୍କୁ ଅଗଷ୍ଟ ମାସ ସୁଦ୍ଧା ଚାକିରୀରୁ ନିବୃତ୍ତ କରିବାକୁ ଭାରତୀ ତାଙ୍କ VRS ପତ୍ରରେ ଲେଖିଥିଲେ । କିନ୍ତୁ ହରିୟାଣା ସରକାର ଚାହାଁନ୍ତି, ଭାରତୀ ପୋଲିସ ସେବାରେ ହିଁ ନିଜକୁ ନିୟୋଜିତ ରଖନ୍ତୁ । ଚାକିରୀ ନ ଛାଡନ୍ତୁ । କିନ୍ତୁ ଆଇପିଏସ ଭାରତୀ ନିଜ ନିଷ୍ପତ୍ତିରେ ଅଟଳ । ଭାରତୀ ଏମିତି ଜଣେ ପୋଲିସ ଅଧିକାରୀ, ଯାହାଙ୍କର ଗଣନା ହରିୟାଣାର କଡା ଓ ନିଷ୍ଠାବାନ ପୋଲିସଙ୍କ ମଧ୍ୟରେ କରାଯାଏ ।
୧୯୯୮ ବ୍ୟାଚର ଆଇପିଏସ୍ ଅଫିସର ଭାରତୀ ଅରୋରା କୁହନ୍ତି ଯେ, ସେ ଜୀବନର ଅନ୍ତିମ ଲକ୍ଷ୍ୟକୁ ପ୍ରାପ୍ତି କରିବାକୁ ଚାହାଁନ୍ତି । ସେ ଗୁରୁ ନାନକ ଦେବ, ଚୈତନ୍ୟ ମହାପ୍ରଭୁ, କବିର ଦାସ, ତୁଲସୀ ଦାସ, ମିରାବାଈ ଆଦି ସନ୍ଥମାନଙ୍କ ଦ୍ବାରା ନିର୍ଦ୍ଧାରିତ ମାର୍ଗରେ ଚାଲିବାକୁ ଚାହାଁନ୍ତି । ଭାରତୀ କୁହନ୍ତି ଯେ, ସେ ନିଜ ସେବାକୁ ନିଜର ଗୌରବ ଓ ନିଶା ଭାବେ ଗ୍ରହଣ କରିଛନ୍ତି । ଆଉ ଏବେ ପୋଲିସ ଅଧିକାରୀ ଭାବେ କାମ କରିବାକୁ ୨୩ ବର୍ଷ ପୁରିଗଲାଣି । ତେଣୁ ଏବେ VRS ନେବାକୁ ଚାହୁଁଛି ।
ଅମ୍ବାଲା ରେଞ୍ଜର ପୋଲିସ ମହାନିରୀକ୍ଷକ(IGP)ଙ୍କ ପଦରେ କାର୍ଯ୍ୟରତ ଭାରତୀ ଅରୋରା ଚାକିରୀରୁ ଅବସର ଗ୍ରହଣ କରି ବାକିତକ ଜୀବନ ଭଗବାନ ଶ୍ରୀ କୃଷ୍ଣଙ୍କ ଭକ୍ତିରେ ନିୟୋଜିତ କରିବାକୁ ଚାହାଁନ୍ତି । ପୋଲିସ ମହାନିର୍ଦ୍ଦେଶକ ମନୋଜ ଯାଦବଙ୍କ ମାଧ୍ୟମରେ ମୁଖ୍ୟ ସଚିବ ବିଜୟ ବର୍ଦ୍ଧନଙ୍କୁ ପଠାଇଥିବା ଚିଠିରେ ଭାରତୀ ଲେଖିଛନ୍ତି ' ମୁଁ ୫୦ ବର୍ଷ ବୟସରେ ସ୍ବଇଚ୍ଛାରେ ଅଖିଳ ଭାରତୀୟ ସେବା ନିୟମ (୧୯୫୮) ୧୬(୨) ଦ୍ବାରା ଅଗଷ୍ଟ ୨୦୨୧ରୁ ସେବାନିବୃତ୍ତ ପାଇଁ ଆବେଦନ କରୁଛି' ।
ଯେତେବେଳେ ଏହି ଆବେଦନ ପତ୍ର ଗୃହ ମନ୍ତ୍ରୀ ଅନିଲ ବିଜଙ୍କ ପାଖରେ ପହଞ୍ଚିଲା, ସେତେବେଳେ ସେ ବଡ ଆଶ୍ଚର୍ଯ୍ୟ ହୋଇଗଲେ । କାହିଁକିନା ଭାରତୀ ଜଣେ ଶୃଙ୍ଖଳାପୂର୍ଣ୍ଣ ଅଫିସର ଥିଲେ । ଅନିଲ ଫାଇଲଟିକୁ ଭଲଭାବେ ଦେଖିବା ସହ ଗୃହ ସଚିବଙ୍କୁ କହିଲେ ଯେ, ଭାରତୀଙ୍କ ରିଟାୟରମେଣ୍ଟ ୨୦୩୧ରେ ହେବାରେ ଅଛି । ତେଣୁ ଭାରତୀଙ୍କୁ ଫୋନ କରି କୁହନ୍ତୁ ଯେ, ସେ ଏହି ସମ୍ପର୍କରେ ଆଉ ଥରେ ଭାବନ୍ତୁ । ଯେତେବେଳେ ଡିଜିପି ମନୋଜ ଯାଦବ ଅମ୍ବାଲାରେ ଭାରତୀଙ୍କୁ ସାକ୍ଷାତ କରିଥିଲେ, ସେତେବେଳେ ଭାରତୀଙ୍କୁ କହିଥିଲେ VRS ନିଅନ୍ତୁ ନାହିଁ । କାହିଁକିନା ଭଲ ଅଫିସର ମିଳିବା ବହୁତ କଷ୍ଟ । ଆପଣଙ୍କ ଭଳି ସଚ୍ଚୋଟ ଓ ନିଷ୍ଠାବାନ ଅଧିକାରୀ ଆମକୁ ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ