ଭୋପାଳ: ପ୍ରଭୁ ହନୁମାନଙ୍କ ନିକଟରେ ଭୋଗ ଲଗାଯିବ ୧ କ୍ବିଣ୍ଟାଲର ବିଶାଳ ଲଡୁ । ଆସନ୍ତା ଏପ୍ରିଲ ୬ ତାରିଖରେ ହନୁମାନ ଜୟନ୍ତୀ ଅବସରରେ ଏହି ପ୍ରସାଦ ଭୋଗ କରିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ମଧ୍ୟପ୍ରଦେଶ ଜବଲପୁର ସ୍ଥିତ ପୁରାତନ ହନୁମାନ ମନ୍ଦିରରେ ଭୋଗ ଲଗାଇବା ଲାଗି ଲଡୁ ପ୍ରସ୍ତୁତ କାର୍ଯ୍ୟରେ ଲାଗିଛନ୍ତି କିଛି ମହିଳା । ଗତ ବର୍ଷଠାରୁ ଏଠାରେ ଏହି ସ୍ବତନ୍ତ୍ର ଧରଣର ଲଡୁକୁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।
ସହରର ଯୁବପୀଢିମାନେ ଏହି ପରମ୍ପରା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଏହି ଲଡୁ ପ୍ରସ୍ତୁତର ଦାୟିତ୍ବ ନେଇଛନ୍ତି ସହରର ମହିଳା । ସେମାନେ ହନୁମାନ ଜୟନ୍ତୀର ସପ୍ତାହ ପୂର୍ବରୁ ଏହି ସୁସ୍ବାଦୁ ଲଡୁ ପ୍ରସ୍ତୁତ ପ୍ରଣାଳୀ ଆରମ୍ଭ କରିଛନ୍ତି । ଏଭଳି ବିଶାଳ ଲଡୁ ତିଆରି କରିଆସୁଥିବା ଜଣେ ଅଭିଜ୍ଞ ରୋଷେୟାଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି । ଲଡୁର ଓଜନ ୧ କ୍ବିଣ୍ଟାଲ ହୋଇଥିବାରୁ ଏହାକୁ ବାନ୍ଧି ରଖିବା ଏକ ପ୍ରମୁଖ କାର୍ଯ୍ୟ । ଏଥିଲାଗି ଲଡୁ ତଳେ ଏକ ମୋଟା ପ୍ଲାଷ୍ଟିକ ଜରିର ଆସ୍ତରଣ ଦିଆଯାଏ । ଅଭିଜ୍ଞ ରୋଷେୟା ଏହାକୁ ପ୍ରସ୍ତୁତ କରିଥାନ୍ତି ।
ଏହା ବି ପଢନ୍ତୁ- CM di Yogshala: ପଞ୍ଜାବବାସୀଙ୍କୁ ମାଗଣା ଯୋଗ ପ୍ରଶିକ୍ଷଣ ଦେବ ମାନ ସରକାର
ଏହି ଲଡୁର ଉଚ୍ଚତା ପ୍ରାୟ ୪ଫୁଟର ରହିଥାଏ । ଦୀର୍ଘ ୧ ସପ୍ତାହର ପରିଶ୍ରମ ପରେ ଲଡୁ ପ୍ରସାଦ ଲଗାଇବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥାଏ । ଏହି ସ୍ବତନ୍ତ୍ର ଲଡୁ ତିଆରି ଲାଗି ବହୁ ସମୟ ଲାଗୁଥିବା ବେଳେ ଶ୍ରଦ୍ଧାଳୁମାନେ ବେଶ ଭକ୍ତିର ସହିତ ଏହି କାର୍ଯ୍ୟକୁ କରିଥାନ୍ତି । ହନୁମାନ ଜୟନ୍ତୀରେ ମନ୍ତ୍ରପାଠ ସହିତ ବଜରଙ୍ଗ ବଲ୍ଲୀଙ୍କୁ ଏହି ଭୋଗ ଲାଗି କରାଯାଏ । ଏହି ପୂଜାରେ ପୂଜକଙ୍କ ସହିତ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥାନ୍ତି । ପ୍ରଭୁ ହନୁମାନଙ୍କୁ ଏହି ଲଡୁ ଭୋଗ ଲଗାଯିବା ପରେ ପ୍ରସାଦ ଆକାରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାକୁ ବଣ୍ଟନ କରାଯାଏ ।
ଏହାସହିତ ହନୁମାନ ଜୟନ୍ତୀ ଅବସରରେ ଜବଲପୁରର ପୁରାତନ ହନୁମାନ ମନ୍ଦିରରେ ଏକ ଧାର୍ମିକ ଭୋଜିର ଆୟୋଜନ କରାଯାଏ । ଏହି ସମୟରେ ଭୋଗ ଲଗାଯାଇଥିବା ଲଡୁକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଏ । ମନ୍ଦିରରେ ରହିଥିବା ମୂର୍ତ୍ତି ବହୁ ପୁରାତନ ହୋଇଥିବା ବେଳେ ବହୁ ବର୍ଷ ପୂର୍ବେ ଗୋଣ୍ଡ ରାଜା ଏହାର ନିର୍ମାଣ କରିଥିଲେ । ହନୁମାନ ଜୟନ୍ତୀରେ ପ୍ରଭୁ ଶ୍ରୀରାମଙ୍କ ବଡ଼ ଭକ୍ତ ବଜରଙ୍ଗ ବଲ୍ଲୀଙ୍କ ଦର୍ଶନ ଲାଗି ଅନେକ ଶ୍ରଦ୍ଧାଳୁଙ୍କ ମନ୍ଦିରରେ ଭିଡ଼ ଜମିଥାଏ ।