ନୂଆଦିଲ୍ଲୀ: ହଜ୍ 2021 ପାଇଁ ଶନିବାର ଠାରୁ ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହା ନଭେମ୍ବର 7ରୁ ଆରମ୍ଭ ହୋଇ ଡିସେମ୍ବର 10 ପର୍ଯ୍ୟନ୍ତ ଚାଲିବ ବୋଲି ହଜ୍ କମିଟି ଅଫ୍ ଇଣ୍ଡିଆ ପକ୍ଷରୁ ଗୁରୁବାର ସୂଚନା ମିଳିଛି ।
"ହଜ୍ 1442 - 2021 ସ୍ବତନ୍ତ୍ର ନିୟମାବଳୀ, ଯୋଗ୍ୟତା, ବୟସ ସୀମା, ସ୍ବାସ୍ଥ୍ୟ ଏବଂ ଫିଟନେସ୍ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସର୍ତ୍ତ ସହିତ ସାଉଦି ଆରବରେ ଆୟୋଜିତ ହୋଇଥାଏ । କୋରୋନା ମହାମାରୀ ଯୋଗୁଁ ବୃହତ ସଭାର ଆୟୋଜନ କରାଯାଉ ନାହିଁ । ତେବେ ଉପଯୁକ୍ତ ସମୟ ଦେଖି ସାଉଦି ଆରବ ଏହି ମହାସଭାକୁ ଅନୁଷ୍ଠିତ କରିବ " ବୋଲି ହଜ୍ କମିଟିର ସିଇଓ ଡଃ ମାକସୁଦ୍ ଅହମ୍ମଦ ଖାନଙ୍କ ଦ୍ବାରା ବିଜ୍ଞପ୍ତିରେ ଦର୍ଶାଯାଇଛି।
ତେବେ କାର୍ଯ୍ୟସୂଚୀରେ ଉଲ୍ଲେଖ କରାଯାଇଥିବା ତାରିଖ ଗୁଡ଼ିକୁ ରାଜ୍ୟ ହଜ୍ କମିଟି ଏବଂ ହଜ୍ ପରିଚାଳନାରେ ଜଡିତ ଅନ୍ୟ ସମସ୍ତ ଏଜେନ୍ସିଗୁଡିକ ପାଳନ କରିବା ନିହାତି ଆବଶ୍ୟକ । ନଚେତ୍ କାର୍ଯ୍ୟସୂଚୀରେ ଉଲ୍ଲେଖ କରାଯାଇଥିବା କାର୍ଯ୍ୟକଳାପର ଯେକୌଣସି ପ୍ରକାର ବିଳମ୍ବ ସାମଗ୍ରିକ ହଜ୍ ପରିଚାଳନାରେ ବାଧା ସୃଷ୍ଟି କରିବ ବୋଲି ସେହି ବିଜ୍ଞପ୍ତିରେ ଦର୍ଶାଯାଇଛି । ହଜ୍ 2021 ପାଇଁ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ, ହଜ୍ କମିଟି ଅଫ୍ ଇଣ୍ଡିଆ ଏବଂ କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆର ପ୍ରତିନିଧି ଦଳଗୁଡିକ ଦ୍ବିପାକ୍ଷିକ ଚୁକ୍ତି ପାଇଁ ସାଉଦି ଆରବ ଗସ୍ତ କରିବେ ।
ଇସଲାମ ଧର୍ମର 5ଟି ସ୍ତମ୍ଭ ମଧ୍ୟରୁ ହଜ୍ ଅନ୍ୟତମ ଏବଂ ମୁସଲିମ ମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ । ପ୍ରତିବର୍ଷ ହଜ୍ ଧୁଲ ହିଜା ମାସରେ ରୀତିନୀତି ଅନୁସାରେ ପାଳନ କରାଯାଏ । ଭବିଷ୍ୟତବକ୍ତା ଇବ୍ରାହିମ, ତାଙ୍କ ପତ୍ନୀ ହାଗାର ଏବଂ ସେମାନଙ୍କ ପୁଅ ଭବିଷ୍ୟତବକ୍ତା ଇସମାଇଲଙ୍କ ଦ୍ବାରା ଦିଆଯାଇଥିବା ବଳିଦାନକୁ ସ୍ମରଣ କରିବା ପାଇଁ ହଜ୍ ପାଳନ କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ