ଲକ୍ଷ୍ନୌ: କାଶୀ ବିଶ୍ବନାଥ ମନ୍ଦିର ସଂଲଗ୍ନ ଜ୍ଞାନବ୍ୟାପୀ ମସଜିଦ ଓ ଶୃଙ୍ଗାରଗୌରୀ ମନ୍ଦିର ଦର୍ଶନ ବିବାଦର ଶୁଣାଣି ଆଜି ପାଇଁ ଶେଷ ହୋଇଛି । ଆଜି ପାଇଁ ଶୁଣାଣି ଶେଷ ହୋଇଥିବାବେଳେ ଆସନ୍ତାକାଲି ମଧ୍ୟ ପୁଣି ଶୁଣାଣି ଆରମ୍ଭ ହେବ । ଆଜି ପ୍ରାୟ 2ଘଣ୍ଟା ଧରି ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ମତ ରଖିଥିଲେ । ଜଷ୍ଟିସ ରବି କୁମାର ଦିବାକରଙ୍କ ତତ୍ବାବଧାନରେ ଏହି ମାମଲାର ଶୁଣାଣି ଜାରି ରହିଛି ।
ଦିଲ୍ଲୀର ରାଖୀ ସିଂ, ଲକ୍ଷ୍ମୀ ଦେବୀ, ସୀତା ସାହୁ ଏବଂ ଅନ୍ୟକିଛି ମହିଳା ମା’ ମସଜିଦ ପରିସରରେ ଥିବା ଶୃଙ୍ଗାରଗୌରୀ, ପ୍ରଭୁ ଗଣେଶ, ପ୍ରଭୁ ହନୁମାନ ଏବଂ ନନ୍ଦୀଙ୍କ ପୂଜାପାଠ ପାଇଁ ଅନୁମତି ଲୋଡି ଆବେଦନ କରିଥିଲେ, ଯାହାର ଶୁଣାଣି ପ୍ରକ୍ରିୟା ଜାରି ରହିଛି ।
ଜ୍ଞାନବ୍ୟାପୀ ମସଜିଦ ପରିସରରେ ରହିଛି ଶୃଙ୍ଗାରଗୌରୀ ମନ୍ଦିର । ତେବେ ଏହି ଆବେଦନର ଶୁଣାଣି ତଥା ସର୍ଭେ ପାଇଁ ଏକ କମିଶନ ଗଠନ କରିଥିଲେ କୋର୍ଟ । ଏପ୍ରିଲ୍ 26 ରେ, ଇଦ ପରେ ଏହି କମିଟି ସର୍ଭେ ଏବଂ ଭିଡିଓଗ୍ରାଫି ଆରମ୍ଭ କରିବାକୁ ଆଡଭୋକେଟ୍ କମିଶନରଙ୍କୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ମସଜିଦ ପରିସରର କିଛି ଅଂଶର ଭିଡିଓଗ୍ରାଫି ସର୍ଭେ ମଧ୍ୟ ଶେଷ ହୋଇଛି । ଆସନ୍ତାକାଲି (10 ତାରିଖ) ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ