କୋଲକାତା: ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନ୍ନଥ (KK)ଙ୍କୁ ପ୍ରଦାନ କରାଗଲା ଗାର୍ଡ ଅଫ ଅନର । କୋଲକାତାର ପ୍ରସିଦ୍ଧ ରବିନ୍ଦ୍ର ସଦନରେ ଏହି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଘଟଣାସ୍ଥଳରେ କେକେଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ପୂର୍ବାହ୍ନରେ କେକେଙ୍କୁ ତୋପ ସଲାମି ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଆଜି ପୂର୍ବାହ୍ନରେ କେକେଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ରବିନ୍ଦ୍ର ସଦନକୁ ଅଣାଯାଇଥିଲା । ସେଠାରେ ପରିବାର ସଦସ୍ୟ ମଧ୍ୟ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ । ପରେ କୋଲକାତା ପୋଲିସ ଗାର୍ଡ ଅଫ ଅନର ପ୍ରଦାନ କରିଥିଲା ।
ଗତକାଲି ରାତିରେ କୋଲକାତାରେ ଏକ ଲାଇଭ କାର୍ଯ୍ୟକ୍ରମରେ ପରଫର୍ମ କରୁଥିବାବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ କେକେ । ତାଙ୍କୁ ତୁରନ୍ତ କାର୍ଯ୍ୟକ୍ରମ ସ୍ଥାନରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ହୃଦଘାତ ବୋଲି ପ୍ରାଥମିକ ଭାବେ ଜଣାପଡୁଥିଲେ ସୁଦ୍ଧା ଆଜି ସଂଧ୍ୟାରେ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।
ନିଜ ରୋମାଣ୍ଟିକ ଗୀତ ପାଇଁ ସଙ୍ଗୀତପ୍ରେମୀଙ୍କ ମହଲରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲେ କେକେ । ପ୍ରାୟ 2 ଦଶନ୍ଧିର କ୍ୟାରିୟରରେ ବହୁ ରୋମାଣ୍ଟିକ ଗୀତ ଗାଇ ସ୍ରୋତାଙ୍କୁ ମତୁଆଲା କରିଥିଲେ । ମାତ୍ର 54 ବର୍ଷ ବୟସରେ କେକେଙ୍କ ଅପ୍ରତ୍ୟାଶ୍ରିତ ବିୟୋଗ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ହିନ୍ଦୀ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ କେକେଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ