ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପୂର୍ବରୁ ଆଜି ଭାରତୀୟ ଜନତା ପାର୍ଟି ଜାରି କରିଛି ନିଜର ସଂକଳ୍ପପତ୍ର । ଯେଉଁଥିରେ ବିଭିନ୍ନ କ୍ଷେତ୍ର ପାଇଁ 40 ସୂତ୍ରୀ ପ୍ରତିଶୃତି ଦେଇଛି ଦଳ (BJP manifesto for Gujarat Election) । ଏହାରି ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ରାଜ୍ୟରେ କ୍ରୀଡା ମହାକୁମ୍ଭ ଅଲମ୍ପିକର ଆୟୋଜନ । 2036 ମସିହାରେ ଗୁଜୁରାଟରେ ଅଲମ୍ପିକ ଆୟୋଜିତ ହେବ । ଏଥିପାଇଁ ବିଜେପି ସରକାର ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ କରି ଏହାକୁ ବିଶ୍ବସ୍ତରୀୟ କରିବାକୁ ଘୋଷଣାପତ୍ରରେ ଦର୍ଶାଇଛି ।
ଏହି ସଂକଳ୍ପପତ୍ର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରଦେଶ ଅଧ୍ୟକ୍ଷ ସି.ଆର ପାଟିଲ ମଧ୍ୟ ଉପସ୍ଥିତ ଥିଲେ । ଏହି ଘୋଷଣାନାମରେ ଦଳ ଗୁରୁତ୍ବପୂର୍ଣ୍ଣ 40 ପ୍ରତିଶୃତି ରଖିଛି । ଗୁଜୁରାଟରେ ୟୁନିଫର୍ମ ସିଭିଲ କୋଡ କମିଟିର ସୁପାରିଶ ଲାଗୁ କରିବା ପରି ପ୍ରତିଶୃତି ଦେଇଛି ଦଳ । ସେହିପରି ରାଜ୍ୟରେ ଏକ ଆଣ୍ଟି ରେଡିକାଲାଇଜେସନ ୟୁନିଟ ମଧ୍ୟ ପ୍ରତିଷ୍ଠା କରିବା ନେଇ ଦଳ ଇସ୍ତାହାରରେ ସ୍ଥାନ ଦେଇଛି । ରାଜ୍ୟରେ ଥିବା ଦେଶ ବିରୋଧୀ ଶକ୍ତି, ଆତଙ୍କବାଦୀ, ବିଛିନ୍ନତାବାଦ ରାଷ୍ଟ୍ର ବିରୋଧୀ ଗେଷ୍ଠୀଙ୍କର ସ୍ଲିପର ସେଲ ବିରୋଧରେ ଏହି ସେଲ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦଳ ଘୋଷଣା କରିଛି ।
ସେହିପରି ମହିଳାଙ୍କ ପାଇଁ ନିଯୁକ୍ତି ସୃଷ୍ଟିକୁ ମଧ୍ୟ ପ୍ରାଧାନ୍ୟ ଦେଇଛି ଦଳ । ଆସନ୍ତା 5 ବର୍ଷ ମଧ୍ୟରେ ମହିଳାଙ୍କ ପାଇଁ ରାଜ୍ୟରେ ଏକ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଛାତ୍ରୀଙ୍କ ପାଇଁ ଦେୟମୁକ୍ତ ଭାବେ ଖାଦ୍ୟ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଦଳ କହିଛି । ସେହିପରି ସମସ୍ତ ଆଦିବାସୀ ବହୁଳ 56 ତାଲୁକାରେ ରାସନର ମୋବାଇଲ ଡେଲିଭରୀ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିପାଇଁ ବନବନ୍ଧୁ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ଭାରତୀୟ ଜନତା ପାର୍ଟି ସରକାର । କେବଳ ରାସନ ଯୋଗାଣ ବ୍ୟବସ୍ଥା ନୁହେଁ, ଆଦିବାସୀଙ୍କୁ ଗୁଣାତ୍ମକ ତଥା ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ମଧ୍ୟ ଯୋଗାଇବା ନେଇ ଦଳ ପ୍ରତିଶୃତି ଦେଇଛି । ଆଦିବାସୀ ବହୁଳ ଜିଲ୍ଲାରେ 8ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଥିବା ଦଳ ଘୋଷଣା କରିଛି ।
ସେହିପରି ଆଦିବାସୀ ସମାଜର ଶିକ୍ଷା ପାଇଁ ବିଜେପି ସରକାର ବିର୍ଷା ମୁଣ୍ଡା ଜ୍ଞାନଶକ୍ତି ଆବାସିକ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିବ । ଏହି ଯୋଜନାରେ 25ଟି ଅତ୍ୟାଧୁନିକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ଦଳ । ଏହା ଫଳରେ 75ହଜାର ଆଦିବାସୀ ଛାତ୍ରଛାତ୍ରୀ ଶିକ୍ଷାର ସୁବିଧା ପାଇପାରିବେ । ସେହିପରି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଲାଭାଂଶ ରାଶି 5ଲକ୍ଷରୁ ଦ୍ବିଗୁଣା ବୃଦ୍ଧି କରାଯାଇ 10 ଲକ୍ଷ ଟଙ୍କା ରଖାଯିବ । ରାଜ୍ୟର ଆର୍ଥିକ ପଛୁଆ ବର୍ଗଙ୍କ ରୋଗ ପରୀକ୍ଷା ପାଇଁ ଦେୟମୁକ୍ତ ନିଦାନ ବ୍ୟବସ୍ଥା ମଧ୍ୟ ଦଳ ଘୋଷଣା କରିଛି । ରାଜ୍ୟରେ ଥିବା ସବୁସ୍ତରୀୟ ହସ୍ପିଟାଲର ଭିତ୍ତିଭୂମିର ବିକାଶ କରିବା ପାଇଁ ମଧ୍ୟ ଦଳ ଘୋଷଣା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ