ଗାନ୍ଧୀନଗର: ଗୁଜୁରାଟ ବିଧାନସଭା (Gujarat Assembly elections) ପାଇଁ ବାଜି ସାରିଛି ବିଗୁଲ । ନିର୍ବାଚନୀ ମୈଦାନରେ ଥିବା ରାଜନୈତିକ ରଣନୀତିରେ ମୋହର ମାରି ରଣକ୍ଷେତ୍ରକୁ ଓହ୍ଲାଇ ସାରିଛନ୍ତି । ଅସ୍ତ୍ର ଶସ୍ତ୍ର ପ୍ରସ୍ତୁତ । ଯୋଦ୍ଧାଙ୍କୁ ଯୁଦ୍ଧ ପାଇଁ ସେନାପତି ଦେଉଛନ୍ତି ଅନ୍ତିମ ମନ୍ତ୍ର । ମୈଦାନରେ କିଭଳି କେମିତି କେଉଁଠି କିପରି ଆକ୍ରମଣ ହେବ ତାହାର ଚାଲିଛି ଶେଷ ସମୀକ୍ଷା । ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଆଶାୟୀ ଥିବା ବେଳେ, କ୍ଷମତା ଅଳନ୍ଦିରେ ଧଶେଇ ପଶିବାକୁ ସୁଯୋଗ ଅପେକ୍ଷାରେ ଆମ ଆଦମୀ ପାର୍ଟି । ବିଜେପି ଅପରାଜୟେ ରହିବା ପାଇଁ ସବୁ ଦମ ଲଗାଇ ଦେଇଛି । ତେବେ ନିର୍ବାଚନ କଂଗ୍ରେସ ଆପ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ ଶାସକ ବିଜେପି ପାଇଁ ସେତିକି ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏଥିପାଇଁ ଦଳ ଭିନ୍ନ ଭିନ୍ନ ରଣନୀତି ଉପରେ ବିଚାର ବିମର୍ଶ ଚଳାଇଛି ।
ଗୁଜରାଟରେ କ୍ଷମତା ବଜାୟ ରଖିବା ପାଇଁ ବିଜେପି ବିଶେଷ କରି ସୌରାଷ୍ଟ୍ର (Saurashtra Region) ଉପରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଗୁଜରାଟ ଯୁଦ୍ଧ ବିଜୟୀ ପାଇଁ ବିଜେପି 160 ଆସନରେ ବିଜୟୀ ହେବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି । ଏହାକୁ ହାସଲ କରିବା ପାଇଁ ବିଜେପି ସୌରାଷ୍ଟ୍ର ରିଜନ ଉପରେ ସ୍ବତନ୍ତ୍ର ଫୋକସ କରିଛି । କାରଣ 2017 ନିର୍ବାଚନରେ ସୌରାଷ୍ଟ୍ର ରିଜନରେ ବିଜେପିକୁ ବଡ ଆହ୍ବାନ ଦେଇଥିଲା କଂଗ୍ରେସ । ଏହାକୁ ଦୃଷ୍ଟିରେ ରଖି ବିଜେପି ନିଜର ଭୁଲ ସୁଧାରି ନୂଆ ରଣନୀତି ପ୍ରସ୍ତୁତ କରିଛି । ଏଥିପାଇଁ ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ (Amit Shah) ସୌରାଷ୍ଟ୍ର ରିଜନର ସ୍ଥାନୀୟ ନେତାଙ୍କୁ ନେଇ ଏକାଧିକ ବୈଠକ କରିଛନ୍ତି ।
ଏହାବି ପଢନ୍ତୁ-Gujarat polls: ବିଜେପି କୋର କମିଟି ବୈଠକ ଡାକିଲେ ଶାହ
କଣ ରହିଛି ସୌରାଷ୍ଟ୍ର ମହତ୍ତ୍ବ
ଗୁଜୁରାଟ ରାଜନୀତିରେ ସୌରାଷ୍ଟ୍ରକୁ କ୍ଷମତାର ଚାବି କୁହାଯାଇଥାଏ । କୁହାଯାଏ ସୌରାଷ୍ଟ୍ର ଯାହାର ଗୁଜୁରାଟ ତାହାର । ରାଜ୍ୟର ମୋଟ 182 ଆସନରୁ କେବଳ ଗୁଜୁରାଟ ରିଜନ(କ୍ଷେତ୍ରରୁ) 48 ଟି ଆସନ ଆସିଥାଏ । ଏହାସହ ଯଦି କଚ୍ଛକୁ ସାମିଲ କରାଯିବ ତେବେ ଏହି ସଂଖ୍ୟା 54 ରେ ପହଞ୍ଚିଯିବ । ଏଥିପାଇଁ ରାଜ୍ୟ ରାଜନୀତିରେ ଏହି କ୍ଷେତ୍ରର ପ୍ରଭାବ ସବୁବେଳେ ରହିଆସିଛି । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିର୍ବାଚନ ବେଳେ ଏହି କ୍ଷେତ୍ରକୁ ଧ୍ୟାନ ଦେଇଥାନ୍ତି ।
2017 ନିର୍ବାଚନ ସ୍ଥିତି
ବର୍ତ୍ତମାନର କ୍ଷମତାସୀନ ବିଜେପି ପ୍ରାରମ୍ଭରୁ ରାଜ୍ୟରେ ପ୍ରଭାବ ରଖିଆସିଛି । ସୌରାଷ୍ଟ୍ର ସମେତ ପୁରା ରାଜ୍ୟରେ ବିଜେପିର ଶକ୍ତିଶାଳୀ ସଂଗଠନ ରହିଛି । ହେଲେ କିଛି କିଛି ପ୍ରସଙ୍ଗରେ ସରକାର ବିରୋଧୀ ସ୍ବର ମଧ୍ୟ ରହିଛି । ଯାହାକୁ ଆଧାର କରି ଆମ ଆଦମୀ ପାର୍ଟି ଓ କଂଗ୍ରେସ କ୍ଷମତା ଦକ୍ଷଲ ପାଇଁ ଉଦ୍ୟମ କରୁଛନ୍ତି । କାରଣ 2017 ନିର୍ବାଚନରେ ବିଜେପି ସୌରାଷ୍ଟ୍ର କ୍ଷେତ୍ରରେ ଅଧିକ କ୍ଷତି ସହିଥିଲା । ଗତ ନିର୍ବାଚନରେ କଂଗ୍ରେସ ଏହି କ୍ଷେତ୍ରରେ 45 ପ୍ରତିଶତ ଭୋଟ ସହ 30 ଟି ଆସନ ଦଖଲ କରି ବିଜେପିକୁ ବଡ ଧକ୍କା ଦେଇଥିଲା । ଯାହା ଦ୍ବାରା ବିଜେପିର ଆସନ 117 ରୁ 99କୁ ଖସିଆସିଥିଲା । 2012 ନିର୍ବାଚନରେ ଏହି କ୍ଷେତ୍ରରୁ ବିଜେପି 35 ଟି ଆସନରେ ବିଜୀୟ ହୋଇଥିଲା । ଗତ ନିର୍ବାଚନରେ ବିଜେପିକୁ ସବୁଠାରୁ ଗ୍ରାମୀଣ ଭୋଟର ପ୍ରତ୍ୟାକ୍ଷାନ କରିଥିଲେ । ହେଲେ ସହରାଞ୍ଚଳରେ ବିଜେପି ନିଜ ପ୍ରଭାବ ଅକ୍ଷୁର୍ଣ୍ଣ ରଖିଥିଲା । ହେଲେ ଚଳିତ ନିର୍ବାଚନରେ ବଦଳିଛି ସ୍ଥିତି । ବିଜେପି ନିଜ ଭୁଲ ସୁଧାରିବା ସହ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଛି । ଅନ୍ୟପଟେ କଂଗ୍ରେସ ନିଜ ପୂର୍ବ ପ୍ରଦର୍ଶନ ବଜାୟ ରଖିବ ପାଇଁ ଗୋଟି ଚାଳଣା କରୁଛି ।
ସୌରାଷ୍ଟ୍ରରେ ବର୍ତ୍ତମାନର ସ୍ଥିତି
ଗତ ନିର୍ବାଚନରେ ବିଜେପି ସୌରାଷ୍ଟ୍ର କ୍ଷେତ୍ରରେ ବ୍ୟାପକ କ୍ଷତି ସହିବା ପରେ, ନିର୍ବାଚନ ସରୁ ସରୁ ଏହି ଅଞ୍ଚଳରେ ନିଜର ପ୍ରଭାବକୁ ଯୋରଦାର ପକାଇଲା । ଦଳ କରିଥିବା ଭୁଲକୁ ସୁଧାରିବା ସହ ସିଧା ଲୋକଙ୍କ ସହ ସମ୍ପର୍କ ସ୍ଥାପନ କଲା । ସୌରାଷ୍ଟ୍ର କ୍ଷେତ୍ରର ଦାବି ପୂରଣ କରିବା ସହ ସରକାର ଓ ସଂଗଠନକୁ ସୌରାଷ୍ଟ୍ରରେ ବିଜେପି ଦୃଢ ଭାବେ ଉପସ୍ଥାପନ କଲା । ଏହାସହ ଦଳ ପାଇଁ ବଡ ଆହ୍ବାନ ପାଲଟିଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ନିଜ ପକ୍ଷକୁ ଟାଣିବାରେ ସମର୍ଥ ହେଲା । ଗତ ଜୁନ ମାସରେ ହାର୍ଦ୍ଦିକ ବିଜେପିରେ ସାମିଲ ହୋଇଥିବା ବେଳେ, କଂଗ୍ରେସର ସଂଗଠନ ମଧ୍ୟ ଭୁଶୁଡି ପଡିଛି । ଖାଲି ଏତିକି ନୁହେଁ ସୌରାଷ୍ଟ୍ର ଅଞ୍ଚଳର ପ୍ରମୁଖ କଂଗ୍ରେସ ନେତା ଥିବା ଇନ୍ଦ୍ରନୀଲ ରାଜଗୁରୁ ଦଳ ଛାଡି ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ଏହା ଦ୍ବାରା ଏବେ ବିଜେପି ବିରୋଧୀ ଭୋଟ ଭାଗ ହେବା ଥୟ । ଏକ ସର୍ଭେ ଅନୁସାରେ ଆଗାମୀ ନିର୍ବାଚନରେ ସୌରାଷ୍ଟ୍ର କ୍ଷେତ୍ରରେ ବିଜେପିକୁ 44 ପ୍ରତିଶତ ଭୋଟ ସହ 38 ରୁ 42 ଟି ଆସନ ମିଳିବ । କଂଗ୍ରେସକୁ 32 ପ୍ରତିଶତ ଭୋଟ ସହ 11 ରୁ 15 ଟି ଆସନ ମିଳିବ । ଆପକୁ ଗୋଟିଏ ଓ ଅନ୍ୟ ଦଳକୁ 2 ଟି ଆସନ ମିଳିବ ।
ଏହାବି ପଢନ୍ତୁ- ଧାମନଗର ଝଟକା ପରେ ପଦ୍ମପୁର ଚିନ୍ତା, କଣ ରହିବ ବିଜେଡିର ରଣନୀତି ?
ଦଳ ପାଇଁ ଶାହା କରୁଛନ୍ତି ଷ୍ଟ୍ରାଟେଜି
ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ପୂର୍ବରୁ ବିଜେପି ଲଢେଇ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । ବିଶେଷ କରି ମୋଦି- ଶାହଙ୍କ ଗୃହରାଜ୍ୟ ହୋଇଥିବାରୁ ଗୁଜରାଟ ଲଢେଇ ଏବେ ସମ୍ମାନର ପ୍ରଶ୍ନ ହୋଇଛି । ଏଥିପାଇଁ ନିଜେ ଶାହ ପୁରା ଲଢେଇ ପାଇଁ ରଣନୀତି ରଚୁଛନ୍ତି । ସୌରାଷ୍ଟ୍ରରେ ଯେମିତି ଦଳର ବିଫଳ ନହୁଏ, ସେଥିପାଇଁ ଶାହ ସୌରାଷ୍ଟ୍ର ଅଞ୍ଚଳର ସମସ୍ତ ତୃଣମୂଳ ସ୍ତରର ନେତାଙ୍କ ସହ ସିଧା ସଳଖ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଜିଲ୍ଲା ସ୍ତରର ନେତାଙ୍କୁ ଦଳ ନିର୍ଦ୍ଦିଷ୍ଟ ଗୋଟିଏ ଗୋଟିଏ ଦାୟିତ୍ବ ଦେଇଛି । ନେତା ପାଇଥିବା ନିଜ ଦାୟିତ୍ବକୁ ସଠିକ ଭାବେ ସଫଳ କରିବା ପାଇଁ ଯୋର ଦେଇଛି । ଏହାସହ ଆଗାମୀ କିଛି ଦିନରେ ପୁରା ସୌରାଷ୍ଟ୍ର ନେତାଙ୍କ ସହ ଶାହ ଆହୁରି ବଡ ବଡ ବୈଠକ କରିବେ । ପୁରା ସୌରାଷ୍ଟ୍ର ଓ କଚ୍ଛର 54 ସିଟ ପାଇଁ ଅଲଗା ଅଲଗା ରଣନୀତି ଦଳ କରୁଛି । ଆତି ଆତ୍ମବିଶ୍ବାସରୁ ବାହାରେ ରହିବା ପାଇଁ ତୃଣମୂଳ ସ୍ତରରେ ନେତାଙ୍କୁ ପାର୍ଟି ନିର୍ଦ୍ଦେଶ ଦେଇଛି । ବିରୋଧୀଙ୍କ ଆହ୍ବାନକୁ ସମ୍ମାନର ସହ ଯୋଜନାବଦ୍ଧ ଭାବେ ଲଢେଇ ପାଇଁ ଦଳ ଯୋଜନା କରୁଛି ।
ଆପ ପାଇଁ ଫାଇଦାରେ ରହିବ ବିଜେପି !
ଗତ ବିଧାନସଭା ନିର୍ବାଚନରେ ବିଜେପି ସୌରାଷ୍ଟ୍ର ରିଜନରେ 15 ରୁ ଅଧିକ ସିଟ ବହୁତ କମ ବ୍ୟବଧାନରେ ପରାଜିତ ହୋଇଥିଲା । ଏହି ଆସନ ଗୁଡିକୁ ଏବେ ଦଳ ଫେରି ପାଇବାକୁ ଉଦ୍ୟମ କରୁଛି । କଂଗ୍ରେସ ଭୋଟ କାଟିବା ପାଇଁ ବିଜେପି ବିଶେଷ ଭାବେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନିର୍ଭର କରିଥାଏ । ହେଲେ ବର୍ତ୍ତମାନ ଆପ ରାଜ୍ୟରେ ପ୍ରବେଶ କରିବା ପରେ ଏବେ ବିଜେପି ପାଇଁ କିଛି ମାତ୍ରରେ ସୁବିଧା ହୋଇପାରେ କଂଗ୍ରେସ ଭୋଟ କାଟିବା ପାଇଁ । କାରଣ କଂଗ୍ରେସର ବହୁନେତା ଦଳ ଛାଡି ଆପ୍ ଓ ବିଜେପିରେ ସାମିଲ ହୋଇଛନ୍ତି । ଅର୍ଥାତ ଆପ ଏଣ୍ଟ୍ରି ଦ୍ବାରା ରାଜ୍ୟରେ ବିଜେପିକୁ ଫାଇଦା ହୋଇପାରେ ।
’କଟିବ ବରିଷ୍ଠ ନେତାଙ୍କ ଟିକେଟ’
ବିନା କୌଣସି ସଂକଟରେ ଯେଭଳି ଦଳ କ୍ଷମତା ବଜାୟ ରଖିବ, ସେନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଛି । କାରଣ ଦଳ କୌଣସି ମତେ ଗୁଜରାଟ କ୍ଷମତା ହାତଛଡା କରିବାକୁ ଚାହୁଁନାହିଁ । ଏଥିପାଇଁ ଅମିତ ଶାହ ନିର୍ବାଚନ ସର୍ଭେ, ସଂରକ୍ଷଣ, ପରିଚାଳନା, ସମନ୍ବୟ ଦାୟିତ୍ବରେ ଥିବା ବିଭିନ୍ନ ନେତାଙ୍କୁ ନିଜ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି । ଶାହଙ୍କ ରଣନୀତି ଅନୁସାରେ ଯେଉଁ ବିଧାୟକଙ୍କ ଜିତିବା ସମ୍ଭାବନା ରହିଛି, ସେମାନଙ୍କର ଟିକେଟ କଟିବ ନାହିଁ । ଯେଉଁ ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷ ଥିବ ତାଙ୍କର ଟିକେଟ କାଟିବାକୁ ଦଳ ଆଦୌ ପଛଘୁଞ୍ଚା ଦେବ ନାହିଁ । ଏଥିପାଇଁ ଦଳ ମାଇକ୍ରୋମ୍ୟାନେଜମେଣ୍ଟ ଟିମକୁ ନିର୍ଦ୍ଦେଶ ହୋଇଛି । ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି, ଦଳ ଆଗାମୀ ନିର୍ବାଚନରେ ପୁରା ରାଜ୍ୟରେ ଅତି କମରେ 20 ରୁ 25 ପ୍ରତିଶତ ବିଧାୟକଙ୍କ ଟିକେଟ କାଟିବ ।
ଜାତିଗତ ସମୀକରଣକୁ ଧ୍ୟାନ
ବିଜେପି ରାଜ୍ୟରେ ଜାତିଗତ ସମୀକରଣକୁ ଏକ ପ୍ରକାର ନିଷ୍କ୍ରିୟ କରିଦେଇଛି । ପ୍ରଧାନମନ୍ତ୍ରୀଙ୍କ ନାରା ସବକା ସାଥ, ସବକା ବିକାଶ ଆଧାରରେ ଦଳ ନିର୍ବାଚନ ଲଢୁଛି । ତଥାପି ସୌରାଷ୍ଟ୍ର ରିଜନରେ ଥିବା ପଟିଦାର ଓ କୋଲୀ ସମ୍ପ୍ରଦାୟଙ୍କ ପାଇଁ ଦଳ ଭିନ୍ନ ରଣନୀତି ଆପଣାଇବାକୁ ଯାଉଛି । ଉଭୟ ସମାଜର ଏକାଧିକ ଦାବି ଆପତ୍ତି ଦଳ ସମାଧାନ କରିଥିବା ବେଳେ, ସମର୍ଥନ ବି ଆଶା ରଖିଛି । ଖାଲି ସୌରାଷ୍ଟ୍ର ରିଜନ ପାଇଁ ଅମିତ ଶାହ କିଛି ନେତାଙ୍କୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ଦେଇଛନ୍ତି । ଦଳ ଏହି ରିଜନରେ 40 ସିଟ ନିଶ୍ଚିତ ବିଜୟ ନେଇ କାମ କରୁଛି ।