ଗାନ୍ଧୀନଗର: ନଦୀରେ ଗାଧୋଇବା ହେଲା କାଳ । ଅସାବଧାନତା ବଶତଃ ନଦୀରେ ବୁଡି ଆଖି ବୁଜିଲେ ୪ ଯୁବକ । ଶନିବାର ଅପରାହ୍ନରେ ଗୁଜୁରାଟ ଭାବନଗର ଜିଲ୍ଲାର ମାଲନ ନଦୀରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୩ ଭାଇ ଅଛନ୍ତି । ସମସ୍ତଙ୍କ ବୟସ ୧୭ରୁ ୨୭ ବର୍ଷ ମଧ୍ୟରେ ହେବ । ଗତକାଲି ଅପରାହ୍ନରେ ୩ ଭାଇ ଓ ଅନ୍ୟ ଜଣେ ଯୁବକ ଏକାଠି ନଦୀକୁ ଗାଧୋଇ ଯାଇଥିବା ବେଳେ ସମସ୍ତେ ବୁଡି ଯାଇଥିଲେ । ଏନେଇ ସ୍ଥାନୀୟ ମହୁଭା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ଘର ଜିଲ୍ଲାର ମହୁଭା ତାଲୁକା ଅନ୍ତର୍ଗତ ଲଖୁପାରା ଗ୍ରାମରେ । ପୋଲିସର ସୂଚନା ଅନୁସାରେ, ଯୁବକମାନଙ୍କ ବୁଡିବା ଘଟଣା ଜଣାପଡିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ବହୁ ଖୋଜାଖୋଜି ପରେ ଗତ ସନ୍ଧ୍ୟାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ମିଳିଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ୍ କରାଯାଉଛି । ଗୋଟିଏ ପରିବାରର ୩ ଭାଇଙ୍କ ମୃତ୍ୟୁ ପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।
ଏହାମଧ୍ୟ ପଢନ୍ତୁ: ଝିଅ ଜିଦ କଲା ଭାଇ ହାତରେ ରାକ୍ଷୀ ବାନ୍ଧିବି, ୧ ମାସର ଶିଶୁ ପୁତ୍ରକୁ ଅପହରଣ କଲେ ବାପା ମା’
ଅନ୍ୟପଟେ ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଘଟିଛି । କୋତୱାଲି ଥାନା ଅନ୍ତର୍ଗତ ହିରାପୁର ଗ୍ରାମରେ ଜଣେ ବୃଦ୍ଧା ମହିଳା ନିଜର ଦୁଇ ନାତୁଣୀଙ୍କ ସହ ଗାଈ ଚରାଇବାକୁ ଯାଇଥିଲେ । ଏହି ସମୟରେ ଗୋଟିଏ ପୋଖରୀରେ ବୁଡି ଜେଜେମାଆ ଓ ନାତୁଣୀ ମାନଙ୍କର ମୃତ୍ୟୁ ହୋଇଥିବା ଆଜି ପୋଲିସ ସୂଚନା ଦେଇଛି । ନାତୁଣୀ ଦୁହିଁଙ୍କର ବୟସ ୧୧ ଓ ୭ ବର୍ଷ ହେବ ।
ମହିଳା ଗାଈ ଚରାଉଥବା ବେଳେ ଦୁଇ ନାବାଳିକା ପାଖରେ ଥିବା ପୋଖରୀରେ ଖେଳୁଥିଲେ । ହେଲେ ଅସାବଧାନତା ବଶତଃ ବୁଡିବାକୁ ଲାଗିଥିଲେ । ଏହାଦେଖି ଜେଜେମାଆ ତାଙ୍କୁ ବଞ୍ଚାଇବାକୁ ନିଜେ ପୋଖରୀକୁ ଡେଇଁ ପଡିଥିଲେ । ଫଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ପୋଖରୀରରେ ମୃତଦେହ ଭାସୁଥିବାର ଦେଖି ଗାଁ ଲୋକେ ପୋଲସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହାମଧ୍ୟ ପଢନ୍ତୁ: Punjab Hit and Drag Case: ଟ୍ରାକ୍ଟର ଡ୍ରାଇଭରକୁ 500 ମିଟର ଘୋଷାଡି ନେଲା ଟ୍ରକ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ