ମୁମ୍ବାଇ: ବିବାହ ପାଇଁ ପଣ୍ଡିତଙ୍କ ନିର୍ଦ୍ଦେଶାନୁସାରେ ଏକ ସଠିକ ସମୟ ନିର୍ଦ୍ଧାରିତ କରାଯାଏ । ଉକ୍ତ ସମୟରେ ବରକନ୍ୟା ପରସ୍ପରକୁ ଜୀବନର ସାଥୀ କରନ୍ତି । ହେଲେ ଏଠାରେ ସଠିକ ସମୟରେ ବରଯାତ୍ରୀ ନ ପହଞ୍ଚି DJ ବାଦ୍ୟରେ ରହିଥିଲେ ମସଗୁଲ । ତେବେ ଏହାକୁ ନେଇ କନ୍ୟା ପକ୍ଷ ଯୁକ୍ତିତର୍କ କରିବା ପରେ ଶେଷରେ ବିବାହ ଭାଙ୍ଗିଛି । ଫଳରେ ନବବଧୂ ବିନା ଘରକୁ ଫେରିଲା ବର । ଏଭଳି ଏକ ଘଟଣା ମହାରାଷ୍ଟ୍ର ହିଙ୍ଗୋଳି ଜିଲ୍ଲାରେ ଦେଖିବାକୁ ମିଳିଛି ।
ଏହି ବିବାଦ ଉଗ୍ର ରୂପ ନେଇଥିବା ବେଳେ କିଛି ଲୋକ ଧାରୁଆ ଅସ୍ତ୍ର ବାହାର କରିଥିଲେ । ଫଳରେ ଘଟଣାସ୍ଥଳରେ ୪ରୁ ୫ ଜଣ ମଧ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେଙ୍ଗଗାଓଁ ନିକଟ ତାଲାନିର ଜଣେ ଯୁବତୀ ସପଟଗାଓଁର ଦତ୍ତାରାଓ ଯାଦବଙ୍କ ପୁଅକୁ ବିବାହ କରିବାର ଯୋଜନା ଥିଲା । ଗୁରୁବାର ରାତି 1 ଟାରେ ତାଲାନିର ଆମ୍ବେଦକର ଭବନରେ ଏହି ବିବାହ ଅନୁଷ୍ଠିତ ହେବାର ଥିଲା । ବିବାହର ଠିକ୍ ସମୟରେ ଆୟୋଜନ କରିବାକୁ କନ୍ୟା ପକ୍ଷ ଜିଦ୍ ଧରିଥିଲା । ତେବେ ବରଯାତ୍ରୀ ସଠିକ ସମୟରେ ପହଞ୍ଚି ପାରିନଥିଲା । ବରଯାତ୍ରୀ ଡିଜେ ସହିତ ନାଚିବାରେ ବ୍ୟସ୍ତ ଥିଲେ ।
ତେବେ ବାରମ୍ବାର ନିବେଦନ ସତ୍ତ୍ବେ ବରଯାତ୍ରୀ ଏହାକୁ ଉପେକ୍ଷା କରିବା ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ବରଯାତ୍ରୀ ଧାରୁଆ ଅସ୍ତ୍ର ବାହାର କରିବା ସହ କନ୍ୟା ଘରକୁ ପଥର ଫିଙ୍ଗିଥିଲେ । ଏହି ଘଟଣାରେ ଆହତ ଲୋକଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ଦେଖିବାକୁ ମିଳିଛି ।