ନୂଆଦିଲ୍ଲୀ: ଘରୋଇ ଟେଲିଭିଜନ ଚାନେଲଗୁଡିକରେ ସାମ୍ପ୍ରଦାୟିକ ଘଟଣାବଳୀ ବା ସମ୍ପୃକ୍ତ ପ୍ରସଙ୍ଗରେ ବିତର୍କ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କୌଣସିି ସାମ୍ପ୍ରଦାୟିକ ଦଙ୍ଗା, ହିଂସା ଓ ଯୁଦ୍ଧ ଆଦି ପ୍ରସଙ୍ଗରେ ଖବର ପ୍ରସାରଣ କିମ୍ବା ଷ୍ଟୁଡିଓ ବିତର୍କ ବେଳେ ଅସାମ୍ବିଧାନିକ, ଆପତ୍ତିଜନକ ଓ ବିବାଦୀୟ ତଥା ଉତ୍ତେଜନା ସୃଷ୍ଟିକାରୀ ଶିରୋନାମା ଓ ଶବ୍ଦର ବ୍ୟବହାର ନକରିବା ପାଇଁ ଗାଇଡଲାନରେ କହିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।
କିଛି ଘରୋଇ ଗଣମାଧ୍ୟରେ ଏପରି କିଛି ସମ୍ବେଦନଶୀଳ ପ୍ରସଙ୍ଗରେ ଖବର ପ୍ରସାରଣ ବେଳେ ଏହି ସବୁ ଦିଗକୁ ଧ୍ୟାନ ଦିଆଯାଉ ନଥିବା ଦେଖିବାକୁ ମିଳୁଛି । ଫଳରେ ଏହା ଦର୍ଶକଙ୍କ ମଧ୍ୟରେ କୁପ୍ରଭାବ ପକାଇବା ସହ ସାମାଜିକ ସ୍ଥିରତା ଓ ସଦଭାବନାକୁ ମଧ୍ୟ ପ୍ରଭାବିତ କରିବା ପରି ସ୍ଥିତି ସୃଷ୍ଟି କରୁଥିବା ମନ୍ତ୍ରଣାଳୟ ଗାଇଡଲାଇନରେ ଉଲ୍ଲେଖ କରିଛି । ଋଷ-ୟୁକ୍ରେନ ଯୁଦ୍ଧ, ଦିଲ୍ଲୀରେ ଦେଖାଯାଇଥିବା ସାମ୍ପ୍ରଦାୟିକ ହିଂସା, ଲାଉଡ ସ୍ପିକର ବିବାଦ ଆଦି ପ୍ରସଙ୍ଗରେ ଖବର ପ୍ରସାରଣ ବେଳେ ଏହି ସବୁ କ୍ଷେତ୍ରରେ ବ୍ୟତିକ୍ରମ ପରିଲିକ୍ଷିତ ହୋଇଥିବାର ଉଦାହରଣ ଦେଇଛି ମନ୍ତ୍ରଣାଳୟ ।
ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ସମସ୍ତ ଘରୋଇ ଟିଭି ଚାନେଲଗୁଡିକ କେବୁଲ ନେଟଓ୍ବାର୍କ ଅଧିନିୟନ-1995 ର ଧାରା-20ର ସର୍ତ୍ତାବଳୀକୁ ସଠିକ ଅନୁପାଳନ କରନ୍ତୁ । ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଗାଇଡଲାଇନକୁ ଅଣଦେଖା କରି ଖବର ପ୍ରସାରଣ କଲେ ସରକାର ଉକ୍ତ ଗଣମାଧ୍ୟମ ସଂସ୍ଥା ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ଚେତବାନୀ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ