ରାୟପୁର: ଛତିଶଗଡ଼ ବିଳାସପୁର ତାରବାହର ଥାନା ଅଞ୍ଚଳରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ହାତୁଡ଼ିରେ ହତ୍ୟା କରିଛି ଯୁବକ (Young man killed government school principal ) । ଯୁବକଙ୍କ ବାନ୍ଧବୀକୁ ପ୍ରଧାନ ଶିକ୍ଷକ ହଇରାଣ କରୁଥିବା ଅଭିଯୋଗ ଆଣି ଯୁବକ ଜଣକ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ମୃତ ପ୍ରଧାନ ଶିକ୍ଷକଙ୍କ ନାମ ପ୍ରଦୀପ ଶ୍ରୀବାସ୍ତବ ବୋଲି ଜଣାପଡ଼ିଛି । ପ୍ରଦୀପ ପଚପେଡୀ ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ଏନେଇ ଅତିରିକ୍ତ ଏସପି ଜୟସୱାଲ କହିଛନ୍ତି, "ବିଳମ୍ବିତ ରାତିରେ ପ୍ରଧାନ ଶିକ୍ଷକ କ୍ୟାମ୍ପସରେ ବୁଲୁଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଘର ନିକଟରେ ପହଞ୍ଚିଥିଲା । ଏହାପରେ ପ୍ରଦୀପ ଘର ଗେଟ୍ ଖୋଲିଥିଲେ । ଅଭିଯୁକ୍ତ ଓ ପ୍ରଦୀପଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହାପରେ ଅଭିଯୁକ୍ତ ହାତୁଡ଼ି ଓ ବ୍ଲେଡରେ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା ।" ହତ୍ୟା କରିବା ପରେ ଯୁବକ ଜଣକ ଫେରାର ହୋଇଯାଇଥିଲା ।
ଏହା ବି ପଢନ୍ତୁ- NIRBHAYA CASE: ନିର୍ଭୟା ମାମଲାକୁ ପୂରିଲା ୧୦ବର୍ଷ, ତଥାପି ଅପରାଧରେ ଲାଗୁନି ରୋକ୍
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ରାତି ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ଉପେନ୍ଦ୍ର କୌଶିକ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ପୋଲିସ ପଚାରିବା ପରେ ଯୁବକ ଜଣକ କହିଛି, "ପ୍ରଧାନ ଶିକ୍ଷକ ମୋର ବାନ୍ଧବୀକୁ ହଇରାଣ କରୁଥିଲେ । ଶିକ୍ଷକ ହେବାର ଫାଇଦା ଉଠାଉଥିଲେ ।" ଏଥିଲାଗି ସେ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରିଥିବା କହିଛି । ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି ।