ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଇଏମର ପରିସର ବଢାଇବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ମଞ୍ଜୁରି ଫଳରେ ସମବାୟ କ୍ରେତାମାନେ ଜିଇଏମ ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ଲାଗି ଅନୁମତି ପାଇପାରିବେ ।
ସରକାରୀ କ୍ରେତାମାନଙ୍କ ପାଇଁ ଏକ ମୁକ୍ତ ଓ ପାରଦର୍ଶୀ କ୍ରୟ ବ୍ୟବସ୍ଥା ଯୋଗାଇ ଦେବା ଲାଗି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ଅଗଷ୍ଟ ୯ ତାରିଖରେ ସରକାରୀ ଇ ମାର୍କେଟ ପ୍ଲେସ (ଜିଇଏମ) ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା । ୨୦୧୭ ମେ ୧୭ ତାରିଖରେ ଜାତୀୟ ସରକାରୀ କ୍ରୟ ପୋର୍ଟାଲ ଭାବେ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟ ପ୍ଲେସ (ଜିଇଏମ ଏସପିଭି) ନାମରେ ଏକ ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି) ଗଠନ କରାଯାଇଥିଲା । ଏଥିପୂର୍ବରୁ ୨୦୧୭ ମସିହା ଏପ୍ରିଲ ୧୨ ତାରିଖରେ ଏହି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଲାଭ କରିଥିଲା। ବର୍ତ୍ତମାନ ସବୁ ସରକାରୀ କ୍ରେତା ଯଥା, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରଣାଳୟ, ବିଭାଗ, ସରକାରୀ ଉଦ୍ୟୋଗ, ସ୍ବୟଂଶାସିତ ସଂସ୍ଥା, ସ୍ଥାନୀୟ ପ୍ରଶାସନ ଆଦିଙ୍କ କ୍ରୟ ପାଇଁ ଏହି ପ୍ଲାଟଫର୍ମ ଖୋଲା ରହିଛି । ବର୍ତ୍ତମାନର ଶାସନାଦେଶ ଅନୁଯାୟୀ, ଜିଇଏମ ପୋର୍ଟାଲ ଘରୋଇ କ୍ଷେତ୍ରର କ୍ରେତାଙ୍କ ବ୍ୟବହାର ପାଇଁ ଉପଲବ୍ଧ ନାହିଁ । ତେବେ ଯୋଗାଣକାରୀ ବିକ୍ରେତା ବିଭିନ୍ନ ସରକାରୀ କିମ୍ବା ଘରୋଇ ହୋଇପାରିବେ ।
ହିତାଧିକାରୀଙ୍କ ସଂଖ୍ୟା
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୮ ଲକ୍ଷ ୫୪ ହଜାର ପଞ୍ଜିକୃତ ସମବାୟ ସଂସ୍ଥା ଓ ସେମାନଙ୍କର ୨୭ କୋଟି ସଦସ୍ୟ ଲାଭାନ୍ବିତ ହୋଇପାରିବେ । ଜିଇଏମ ପୋର୍ଟାଲ ସାରା ଦେଶରେ ସବୁ କ୍ରେତା ଓ ବିକ୍ରେତାଙ୍କ ପାଇଁ ଖୋଲା ରହିଛି ।
କାର୍ଯ୍ୟକାରିତା ରଣନୀତି ଓ ଲକ୍ଷ୍ୟ
ଏଥିପାଇଁ ଜିଇଏମ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଇଏମ ପୋର୍ଟାଲରେ ଆବଶ୍ୟକ ବୈଶିଷ୍ଟ ଓ କାର୍ଯ୍ୟକ୍ଷମତାକୁ ସାମିଲ କରାଯିବ, ଭିତ୍ତିଭୂମିର ଉନ୍ନତିକରଣ କରାଯିବ, ହେଲ୍ପ ଡେସ୍କ ଓ ପ୍ରଶିକ୍ଷଣ ଇକୋସିଷ୍ଟମକୁ ସୁଦୃଢ କରାଯିବ । ସମବାୟ ସଂସ୍ଥା ଗୁଡିକର ଅନବୋର୍ଡିଂ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ସମବାୟ ମନ୍ତ୍ରଣାଳୟର ନିଷ୍ପତ୍ତି କ୍ରମେ ନିର୍ଦ୍ଧାରିତ ସମୟ ଅବଧି ଓ ବ୍ୟବସ୍ଥାକ୍ରମେ ଏହାକୁ କାର୍ଯ୍ୟକାରୀ କରାଯିବ । ସମବାୟ ମନ୍ତ୍ରଣାଳୟ ଏବଂ ଜିଇଏମ (ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ) ମଧ୍ୟରେ ଆପୋସ ସମନ୍ବୟ ସ୍ଥାପନ କରାଯାଇ ମାଇଲଖୁଣ୍ଟ ଏବଂ ଲକ୍ଷ୍ୟ ତାରିଖ ନିର୍ଦ୍ଧାରଣ କରାଯିବ ।
ନିଯୁକ୍ତି ସୁଯୋଗ ସୃଷ୍ଟି ସମେତ ଅନ୍ୟାନ୍ୟ ପ୍ରଭାବ
ସାଧାରଣରେ ବ୍ୟବହାର ହେଉଥିବା ସାମଗ୍ରୀ ଓ ସେବା କିଣିବା ପାଇଁ ଜିଇଏମକୁ ଏକ ୱାନଷ୍ଟପ ପୋର୍ଟାଲ ଭାବେ ପୂର୍ବରୁ ବିକଶିତ କରାଯାଇସାରିଛି । ତେଣୁ ସମବାୟ ସଂସ୍ଥା ଗୁଡିକୁ ଏହି ପୋର୍ଟାଲ ଜରିଆରେ ସାମଗ୍ରୀ ଓ ସେବା କିଣିବା ପାଇଁ ଅନୁମତି ମିଳୁ ବୋଲି ସମବାୟ ମନ୍ତ୍ରଣାଳୟ ଚାହୁଁଥିଲା । ଜିଇଏମ ପୋର୍ଟାଲ, ସ୍ବଚ୍ଛ, ପାରଦର୍ଶୀ ଓ ଦକ୍ଷ ହୋଇଥିବା ବେଳେ ଏଥିରେ ବ୍ୟାପକ ଆର୍ଥିକ କାରବାର ଏବଂ ଶୀଘ୍ର କ୍ରୟ ପାଇଁ ବ୍ୟବସ୍ଥା ରହିଛି । ଉପରୋକ୍ତ ପରିପ୍ରେକ୍ଷୀରେ, ଆବଶ୍ୟକ ସାମଗ୍ରୀ ଓ ସେବା କ୍ରୟ ଲାଗି ସମବାୟ ସମିତି ଗୁ଼ଡିକୁ ଜିଇଏମ ପୋର୍ଟାଲରେ ପଞ୍ଜିକରଣ ଅନୁମତି ମିଳିବା ଫଳରେ ଏସବୁ ସଂସ୍ଥା ଏକ ମୁକ୍ତ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବିତାମୂଳକ ମୂଲ୍ୟରେ କ୍ରୟ କରିବାକୁ ସକ୍ଷମ ହୋଇପାରିବେ ।
ଦେଶରେ ଏକ ପାରଦର୍ଶୀ କ୍ରୟ ଇକୋସିଷ୍ଟମ ବିକଶିତ କରିବାରେ ଜିଇଏମର ସମୃଦ୍ଧ ଅଭିଜ୍ଞତା ରହିଛି । ସମବାୟ ସମିତି ପାଇଁ କ୍ରୟ ପ୍ରକ୍ରିୟାରେ ଦକ୍ଷତା ଏବଂ ସ୍ବଚ୍ଛତା ଆଣିବା ଲାଗି ଏହି ଅଭିଜ୍ଞତାକୁ ବିନିଯୋଗ କରାଯାଇପାରିବ । ଏହା ସମବାୟ ସଂସ୍ଥା ଗୁଡିକ ପାଇଁ ସାମଗ୍ରିକ ଭାବେ ବ୍ୟବସାୟିକ ସୁଗମତା ବଢାଇବ । ଅନ୍ୟପଟେ ଜିଇଏମରେ ପଞ୍ଜିକୃତ ବିକ୍ରେତାମାନଙ୍କ ପାଇଁ ଏହା ଏକ ବଡ କ୍ରେତା ଆଧାର ଯୋଗାଇ ଦେବ ।
ସମ୍ପୃକ୍ତ ବ୍ୟୟ ଭାର
ପ୍ରସ୍ତାବିତ ସମ୍ପ୍ରସାରଣ ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ଜିଇଏମ-ଏସପିଭି ବର୍ତ୍ତମାନର ପ୍ଲାଟଫର୍ମ ଏବଂ ସଂଗଠନକୁ ଉପଯୋଗ କରିବା ଜାରି ରଖିବ । ଏହା ବ୍ୟତୀତ ବୈଷୟିକ ଭିତ୍ତିଭୂମି, ଅତିରିକ୍ତ ପ୍ରଶିକ୍ଷଣ ଏବଂ ସହାୟକ ସମ୍ବଳ ପାଇଁ ଆବଶ୍ୟକ ସହଯୋଗ ସରକାର ଯୋଗାଇ ଦେବେ । ଏହି ବର୍ଦ୍ଧିତ ଖର୍ଚ୍ଚ ଭରଣା ପାଇଁ, ସମବାୟ ସଂସ୍ଥା ଗୁଡିକ ଠାରୁ ଜିଇଏମ ପକ୍ଷରୁ ଉପଯୁକ୍ତ କାରବାର ଶୁଳ୍କ ବା ଟ୍ରାଞ୍ଜାକ୍ସନ ଫି ନିଆଯିବ। ତେଣୁ ସରକାରଙ୍କୁ କୌଣସି ଅତିରିକ୍ତ ଆର୍ଥିକ ବ୍ୟୟଭାର ବହନ କରିବାକୁ ପଡିବ ନାହିଁ ।