ଚେନ୍ନାଇ: ତାମିଲନାଡୁର କାଞ୍ଚିପୁରମ ଓଲ୍ଡ ରେଳ ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନଟି ଲାଇନଚ୍ୟୁତ ହୋଇ ରାସ୍ତା ଉପରକୁ ମାଡି ଯାଇଛି । ଏଥିରେ ଦୁଇ ଜଣ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟ୍ରେନ ମାଡି ଯିବା ଯୋଗୁଁ ଅନେକ ବାଇକ ଚୁରମାର୍ ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ । ଗାର୍ଡ ଓ ଲୋକ ପାଇଲଟଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମାଲବାହୀ ଟ୍ରେନ ବେଲ୍ଲାରୀରୁ କୋଇଲା ନେଇ କର୍ଣ୍ଣାଟକର ଏକ ଆଇରନ ଫ୍ୟାକ୍ଟ୍ରିକୁ ଯାଉଥିଲା । ୱାକିଟକିରେ ସିଗନାଲ ତ୍ରୁଟି ଯୋଗୁଁ ଲୋକ ପାଇଲଟ ଓ ଗାର୍ଡ ମଧ୍ୟରେ ଠିକ୍ ଭାବେ ଯୋଗାଯୋଗ ହୋଇପାରି ନଥିଲା । ଲୋକ ପାଇଲଟ ଟ୍ରେନ୍କୁ ରୋକିବାକୁ ଚେଷ୍ଟା କରିବା ବେଳେ ଏହା ଗୁଡ୍ସ ଟର୍ମିନାଲରେ ରେଳ ବାରିଅର ଭାଙ୍ଗି ରାସ୍ତା ଆଡକୁ ମାଡି ଯାଇଥିଲା । ଏତିକି ବେଳେ ଦୁଇ ଜଣ ବାଇକ ଆରୋହୀ ରାସ୍ତା ଅତିକ୍ରମ କରୁଥିଲେ । ଫଳରେ ଦୁଇ ଜଣ ଯାକ ଟ୍ରେନ ତଳେ ଫସି ଯାଇଥିଲେ । କିନ୍ତୁ ଠିକ୍ ସମୟରେ ଦୁହେଁ ଗାଡିରୁ ଡେଇଁ ପଡିବା ଯୋଗୁଁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା । ହେଲା ତାଙ୍କର ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ ଶହଶହ ଯାତ୍ରୀ, ଦେବଦୂତ୍ତ ସାଜିଲେ ନାବାଳକ
ତେବେ ଉକ୍ତ ମାଲବାହୀ ଟ୍ରେନ ରେଳ ଧାରଣାରୁ ୨୦ ଫୁଟ୍ ଦୂରକୁ ମାଡି ଯାଇଥିବା ଜଣାପଡ଼ିଛି । ରେଲୱେ ପୋଲିସ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି । ଦକ୍ଷିଣ ରେଲୱେର ସେକ୍ସନ ଇଞ୍ଜିନିୟର ସଞ୍ଜୀବ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ତଦନ୍ତ ଜାରି ରହିଛି । ଗାର୍ଡ ଓ ଲୋକ ପାଇଲଟ ମଧ୍ୟରେ ଯୋଗାଯୋଗର ଅଭାବ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି । ତେବେ ଏହି ଘଟଣାକୁ ନେଇ କୌଣସି ଟ୍ରେନ ବାତିଲ କରାଯାଇନଥିବା ସେ ସୂଚନା ଦେଇଛନ୍ତି ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ମୁଁ ଜଣେ ଟ୍ରକ ଡ୍ରାଇଭର । ଘଟଣା ସମୟରେ ମୁଁ ଟ୍ରକରେ ମାଲ୍ ଲୋଡ କରି ବିଲିଂ କରୁଥିଲି । ଏତିକି ବେଳେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଗାର୍ଡ ଟ୍ରେନରୁ ଡେଇଁ ପଡି ଆଖପାଖରେ ଥିବା ଲୋକଙ୍କୁ ଦୂରକୁ ପଳାଇବାକୁ ଆଲର୍ଟ କରିଥିଲେ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ