ଲକ୍ଷ୍ନୌ: ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟରେ ହଷ୍ଟେଲ୍ ଛାତ୍ରୀଙ୍କ ଅଶ୍ଲୀଲ ଭିଡିଓ ଭାଇରାଲ ଘଟଣା ପରେ ଏବେ କାନପୁରରେ ବି ସମାନ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି । କାନପୁର ରାୱତପୁର ଥାନା ଅଞ୍ଚଳରେ ଥିବା ସାଇ ନିବାସ ମହିଳା ହଷ୍ଟେଲ୍ରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜଣେ ହଷ୍ଟେଲ୍ କର୍ମଚାରୀ ଛାତ୍ରୀଙ୍କ ଭିଡିଓ କରି ଭାଇରାଲ କରିଥିବା ଅଭିଯୋଗରେ ହଙ୍ଗାମା କରିଛନ୍ତି ଛାତ୍ରୀ ।
ଛାତ୍ରୀଙ୍କ କହିବା କଥା ହେଲା, କର୍ମଚାରୀ ଜଣକ ଭିଡିଓ କରୁଥିବା ସମୟରେ ଧରା ପଡ଼ିଛନ୍ତି । ସଫେଇ କର୍ମଚାରୀ ଜଣକ ପୂର୍ବରୁ ଅନେକ ଭିଡିଓ କରିଥିବା ଅଭିଯୋଗ ହୋଇଛି । ଜଣେ ଛାତ୍ରୀ ଗାଧୋଉଥିବା ବେଳେ ଋଷି ନାମକ ସଫେଇ କର୍ମଚାରୀ ତାଙ୍କ ଭିଡିଓ ଉତ୍ତୋଳନ କରିଛନ୍ତି । ଏହି ସମୟରେ ଛାତ୍ରୀ ଜଣକ କୌଣସି ମତେ ଜାଣି ତାକୁ ଧରିଥିଲେ ।
ଛାତ୍ରୀ ଜଣକ ପାଟି କରିବାକୁ ହଷ୍ଟେଲ୍ର ଅନ୍ୟ ଛାତ୍ରୀ ଏକାଠି ହୋଇ ଋଷିଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ମୋବାଇଲରେ ପୂର୍ବରୁ ଅନେକ ଛାତ୍ରୀଙ୍କ ଗାଧୁଆ ଭିଡିଓ ରହିଥିବା ଦେଖିବାକୁ ପାଇଥିଲେ ଛାତ୍ରୀ । ତେବେ ବର୍ତ୍ତମାନ ହଷ୍ଟେଲ୍ ୱାର୍ଡେନ ମଧ୍ୟ ଋଷିର ପକ୍ଷ ନେଉଛନ୍ତି । ଏହି ଘଟଣାକୁ ନେଇ ସାଇ ନିବାସ ମହିଳା ହଷ୍ଟେଲ୍ ଛାତ୍ରୀ ରାୱତପୁର ଥାନାରେ ଏତଲା ଦେଇଛନ୍ତି । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ବୟାନ ଦିଆଯାଇନାହିଁ । ଏହି ଘଟଣାକୁ ନେଇ ହଷ୍ଟେଲ୍ରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।