ରାୟପୁର: "ବହୁ ଯୁବତୀ ପ୍ରେମରେ ବିଫଳ ହେବା ପରେ ନିଜ ପୁରୁଷ ବନ୍ଧୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଭଳି ସଙ୍ଗିନ ଅଭିଯୋଗ ଆଣିଥାନ୍ତି। ସବୁବେଳେ ପୁରୁଷମାନଙ୍କ ଭୁଲ ନଥାଏ।" ଏଭଳି ମନ୍ତବ୍ୟ ଦେଇ ଏବେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ଛତିଶଗଡ଼ ମହିଳା କମିଶନ ଚେୟାରମ୍ୟାନ କିରନ ମୟୀ ନାୟକ। ମହିଳା କମିଶନର ଚେୟାନମେନ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ଏଭଳି ମନ୍ତବ୍ୟ ପରେ କିରନ ମୟୀଙ୍କୁ ଏବେ ତୀବ୍ର ନିନ୍ଦା କରିଛି ବିଜେପି।
ଖାଲି ସେତିକିରେ ଅଟକି ନଥିଲେ ମହିଳା କମିଶନର। ଯୁବତୀମାନେ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିବା କଥା ନୁହେଁ। ଏହାକୁ ନେଇ ଯୁବତୀମାନେ ଦେଖି ଚାହିଁ ଚଳିବାକୁ ସେ କହିଛନ୍ତି। ସ୍ଥାନୀୟ ଏକ ମିଡିଆ ଚ୍ୟାନେଲକୁ ସାକ୍ଷାତକାର ବେଳେ ଏଭଳି ମନ୍ତବ୍ୟ ଦେଇଥିଲେ କିରନ ମୟୀ ନାୟକ। ତେବେ ମହିଳା କମିଶନ ଚେୟାରମ୍ୟାନ ପଦବୀରେ ରହି ମହିଳା ବିରୋଧି କିରନ ମୟୀ ମହିଳା ବିରୋଧି ବୟାନ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମହିଳା କମିଶନ ଚେୟାରମ୍ୟାନ ମହିଳା ବିରୋଧି କାର୍ଯ୍ୟ କରୁଛନ୍ତି ବୋଲି ବିଜେପି କହିଛି।
ଡିସେମ୍ବର 10 ତାରିଖରେ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତାକାରରେ କହିଥିଲେ ଯେ, "ବର୍ତ୍ତମାନ ବହୁ ଯୁବତୀ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। 18 ବର୍ଷ ହେଲା ମାତ୍ର ବିବାହ କରି ସନ୍ତାନ ଜନ୍ମ କରୁଛନ୍ତି। ଏହାସହ ଆଜିକାଲି ସଭିଏଁ ଫିଲ୍ମି ପ୍ରେମ କରୁଛନ୍ତି। ଆମ ପାଖକୁ ଏଭଳି ବହୁତ ଗୁଡ଼ିଏ ମାମଲା ଆସୁଛି, ଯେଉଁଥିରେ ପ୍ରେମ ବିଚ୍ଛେଦ ପରେ ସେମାନେ ପୁରୁଷ ବନ୍ଧୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥାନ୍ତି। ଆମ ପାଖକୁ ଏଭଳି ମାମଲା ଆସିଲେ ଆମେ ସଚେତନତାର ସହ କାମ କରିଥାଉ। ଏଭଳି କରିବା ଅନୁଚିତ କୌଣସି ପ୍ରେମ ସମ୍ପର୍କରେ ପଡ଼ିବା ପୂର୍ବରୁ ଯୁବତୀମାନେ ନିଜ ଅଧିକାର ସମ୍ପର୍କରେ ଅବଗତ ହେବା ଆବଶ୍ୟକ। ଏଭଳି ପ୍ରେମରେ ପଡ଼ି ଯୁବତୀମାନେ ନିଜର ଭବିଶ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି "।
ସାକ୍ଷାତାକାର ବେଳେ ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଛତିଶଗଡ଼ ମହିଳା କମିଶନ ଚେୟାରମ୍ୟାନ କିରନ ମୟୀ ନାୟକ। ଏହାପରେ ବିଜେପି ନେତ୍ରୀ ହର୍ଷିତା ପାଣ୍ଡେ ଛତିଶଗଡ଼ ମହିଳା କମିଶନ ଚେୟାରମ୍ୟାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, "ମହିଳା କମିଶନଙ୍କ ଏଭଳି ମନ୍ତବ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ। କିରନ ମୟୀ ଯେଉଁ ଶବ୍ଦର ବ୍ୟବହାର କରିଛନ୍ତି ତାହା କୌଣସି ବିଶେଷ ପଦବୀରେ ଥିବା ଲୋକଙ୍କଠାରୁ ଆଶା କରାଯାଏନାହିଁ। ସେ ବୋଧ ହୁଏ ଜାଣି ନାହାନ୍ତି ଆଜିକାଲି ସମାଜରେ ଯୁବତୀମାନେ କିଭଳି ଭାବରେ ଠକାମୀର ଶିକାର ହେଉଛନ୍ତି। କୌଣସି ଗୋଟିଏ ଦୁଇଟି କଥାକୁ ନେଇ ଆମେ କୌଣସି ନିଷ୍କର୍ଶ ପହଞ୍ଚିବା ଅନୁଚିତ। "
ଏହାକୁ ନେଇ ଛତିଶଗଡ଼ ମୁଖମନ୍ତ୍ରୀ କୌଣସି ଟିପ୍ପଣୀ ଦେବାକୁ ମନା କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିରନ ମୟୀଙ୍କ ମନ୍ତବ୍ୟ ନିଜସ୍ବ। ଏଥିରେ ତାଙ୍କର କିଛି କହିବାର ନାହିଁ। ତେବେ ବିଜେପି କିରନ ମୟୀ ନାୟକ ଭୁଲ ମାଗନ୍ତୁ ବୋଲି ଦାବି କରିଛି।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ