ଲକ୍ଷ୍ନୌ: କଥାରେ ଅଛି ପ୍ରେମ ଅସାଧ୍ୟକୁ କରେ ସାଧିତ । ମନରେ ଭରିଥାଏ ଅଦମ୍ୟ ସାହସ । ହେଲେ ଏଠାରେ ଯେଉଁ ଘଟଣା ଘଟିଛି, ତାହା ଆପଣଙ୍କୁ ନିହାତି ଚକିତ କରିପାରେ । ଉତ୍ତରପ୍ରଦେଶ ବରେଲିର ନାବାଳିକା ପ୍ରେମର ପଡି ହୋଇଛନ୍ତି ବାୟାଣୀ । ଆଉ ମନରେ ସାହସ ଜୁଟାଇ ଜାଲିଆତି କରିବାକୁ ମଧ୍ୟ ପଛାଇ ନାହାନ୍ତି । ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହିତ ଫେରାର ହେବା ପାଇଁ ରଚିଛନ୍ତି ଯୋଜନା । ଏଥିଲାଗି ସେ ଜନ୍ମ ପ୍ରମାଣପତ୍ରରେ ନିଜ ବୟସ ବଢାଇଛନ୍ତି । ଆଉ ପରିଶେଷରେ ନକଲି ପ୍ରମାଣ ପତ୍ର ଆଧାରରେ ନିଜକୁ ସାବାଳିକା ବା ଯୁବତୀ ଦର୍ଶାଇ କୋର୍ଟରେ କରିଛନ୍ତି ବିବାହ । ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନାବାଳିକା ଜଣକ କିପରି ସରକାରୀ କାର୍ଯ୍ୟାଳୟରେ ଏଭଳି ଜାଲିଆତି କରିବାରେ ସଫଳ ହୋଇଛନ୍ତି ତାହା ନିଶ୍ଚିତ ଆଲୋଚନାର ବିଷୟ । ହେଲେ ଏ ସମ୍ପର୍କରେ ନାବାଳିକାର ପିତା ଅଭିଯୋଗ କରିବା ପରେ ଘଟଣାର ସତ୍ୟତା ସାମନାକୁ ଆସିଛି । ଅଭିଯୋଗ ପରେ ଏହି ପ୍ରମାଣପତ୍ରକୁ ମହାନଗର ନିଗମ ଖାରଜ କରିଥିବା ଜଣାପଡ଼ିଛି ।
- କଣ ଥିଲା ପୁରା ଘଟଣା ?
ବରେଲିର ସୁଭାଷନଗର ଥାନା କ୍ଷେତ୍ରରେ ରହୁଥିବା ନାବାଳିକା ପ୍ରେମ କରିବା ପରେ ବିବାହ କରିବା ପାଇଁ ଯୋଜନା କରିଥିଲେ । ହେଲେ ଏଥିରେ ବଡ଼ ବାଧକ ସାଜିଥିଲା ବୟସ । ଏଥିଲାଗି ନାବାଳିକା ଜଣକ ନିଜ ବୟସକୁ ବୃ୍ଦ୍ଧି କରାଇଥିଲେ । ଏଥିଲାଗି ଯେକୌଣସି ପ୍ରକାରେ ନକଲି ଜନ୍ମ ପ୍ରମାଣ ପତ୍ର ବାହାର କରିବାରେ ମଧ୍ୟ ସକ୍ଷମ ହୋଇଥିଲେ । ଏହାପରେ ପ୍ରେମିକ ସହିତ କୋର୍ଟ ମ୍ୟାରେଜ କରିଥିବା ଜଣାପଡ଼ିଛି । ଏହାପରେ ନାବାଳିକାଙ୍କ ଏହି ଯୋଜନା ସମସ୍ତଙ୍କୁ ଚକିତ କରିଛି । ନାବାଳିକା ପିତାଙ୍କ ଅଭିଯୋଗ ପରେ ଅସଲ ଜନ୍ମ ପ୍ରମାଣ ପତ୍ର ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଛି ।
- ଏମିତି କରିଥିଲେ ଜାଲିଆତି:-
ସିଟି ସ୍ବାସ୍ଥ୍ୟ ଅଧିକାରୀ ଅଶୋକ କୁମାର କହିଛନ୍ତି ଯେ ଜୁଲାଇ 2021ରେ ଜଣେ ଛାତ୍ରୀ ନିଜକୁ ସାବାଳିକା ଦର୍ଶାଇ ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ । ତାଙ୍କ ବୟସ ପାଇଁ ହାଇସ୍କୁଲ ମାର୍କ ସିଟ୍ ଆବେଦନ ଫର୍ମରେ ସଂଲଗ୍ନ କରାଯାଇଥିଲା । ଏଥିସହ ମ୍ୟୁନିସିପାଲିଟି କର୍ପୋରେସନରେ ଜନ୍ମ ପ୍ରମାଣପତ୍ର ପାଇଁ ଏକ ଆବେଦନ କରାଯାଇଥିଲା ଯେ ଛାତ୍ରୀଙ୍କ ପିତାଙ୍କ ନାମରେ ଏକ ନୋଟାରୀ ପ୍ରମାଣପତ୍ର ରହିଛି । ଯାହା ପରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଛାତ୍ରୀ ଦେଇଥିବା ଦଲିଲ ଆଧାରରେ ଜନ୍ମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ତେବେ ପିତାଙ୍କ ଅନୁଯାୟୀ ତାଙ୍କ ଝିଅ 8ମ ଶ୍ରେଣୀର ଛାତ୍ରୀ ଏବଂ ତାଙ୍କୁ 15 ବର୍ଷ ବୟସ ।
ପିତାଙ୍କ ଅଭିଯୋଗ ପରେ ଉକ୍ତ କାଗଜପତ୍ରର ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଛି । ଏ ନେଇ ଡକ୍ଟର ଅଶୋକ କହିଛନ୍ତି ଯେ ନାବାଳିକା ଦାଖଲ କରିଥିବା କାଗଜପତ୍ର ଅନ୍ୟ ଜଣେ ଛାତ୍ରୀର ବୋଲି ଜଣାପଡ଼ିଛି । ଅସଲ ପ୍ରମାଣ ପତ୍ର ଉପରେ ନାବାଳିକା ଜାଲିଆତି କରି ନିଜର ଓ ପିତାଙ୍କ ନାମ ଲେଖିଥିଲା । ସତ୍ୟ ଘଟଣା ସାମନାକୁ ଆସିବା ପରେ ନାବାଳିକାକୁ ଦିଆଯାଇଥିବା ଜନ୍ମ ପ୍ରମାଣ ପତ୍ରକୁ ଖାରଜ କରାଯାଇଛି । ଏହି ଅପରାଧ ଲାଗି ନାବାଳିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି । ସେପଟେ ନାବାଳିକାର ପିତା ପ୍ରେମିକ ବିରୋଧରେ ସୁଭାଷ ନଗର ପୋଲିସ ଷ୍ଟେସନରେ ମାମଲା ଦାଏର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ