ଲକ୍ଷ୍ନୌ: ସମଲିଙ୍ଗୀ ବିବାହକୁ ଅନୁମତି ମିଳିନଥିବା ବେଳେ ନିଜ ଭଉଣୀର ନଣନ୍ଦ ସହିତ ବିବାହ କରିଛନ୍ତି ଜଣେ ଯୁବତୀ । ଏହା ପୂର୍ବରୁ ଗତ ୭ ମାସ ଧରି ସେ ଭଉଣୀର ନଣନ୍ଦ ସହିତ ଫେରାର ଥିବା ବେଳେ ଲିଭ-ଇନ୍ ରିଲେସନସିପରେ ରହୁଥିଲେ । ଦୀର୍ଘ ୭ ମାସ ପରେ ନିଜ ବେଶଭୂଷା ବଦଳାଇ ଘରକୁ ଫେରିଛନ୍ତି ଏହି ୨ ଜଣ ଯୁବତୀ । ଆଉ ଥାନାର ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିଛନ୍ତି । ସେପଟେ ପୋଲିସ ଏହି ୨ ଜଣ ଯୁବତୀଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ପଠାଇ ଦେଇଛି । ଏଭଳି ଘଟଣା ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ଦେଖିବାକୁ ମିଳିଛି ।
ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅନୁମତି ଦେଇଥିବା ବେଳେ ବିବାହ ଉପରେ କୌଣସି ଆଇନଗତ ନିଷ୍ପତ୍ତି ନିଆଯାଇନାହିଁ । ଏନେଇ କୋର୍ଟରେ ମାମଲା ବିଚାରଧୀନ ରହିଛି । ଏହାରି ମଧ୍ୟରେ ସମ୍ଭଲ ଜିଲ୍ଲାର କୋତବାଲି ଅଞ୍ଚଳର ଏକ ଗାଁରେ ଏହି ୨ଜଣ ଯୁବତୀ ୭ ମାସ ପୂର୍ବରୁ ଘରକୁ ଫେରାର ହୋଇଯାଇଥିଲେ । ଯୁବତୀ ଫେରାର ହୋଇଯିବା ପରେ ପରିବାର ପକ୍ଷରୁ କୋତବାଲି ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଜଣାପଡ଼ିଲା ଯେ ଫେରାର ହୋଇଥିବା ଯୁବତୀ ଜଣକ ମୁରାଦାବାଦ ଜିଲ୍ଲାର ବିଲ୍ଲାରି ଥାନା ଅଞ୍ଚଳରେ ନିଜ ଭଉଣୀର ନଣନ୍ଦ ସହିତ ଲିଭ-ଇନ ରିଲେସନସିପରେ ରହୁଛନ୍ତି ।
ଏହା ବି ପଢନ୍ତୁ- ଲିଫ୍ଟରେ ବେକ କଟି 13 ବର୍ଷ ବାଳକର ମୃତ୍ୟୁ
ଏହାପରେ ଉଭୟ ପରିବାର ଯୁବତୀ ଦ୍ବୟଙ୍କୁ ଖୋଜିବାରେ ଲାଗିଥିଲେ । ବହୁ ଖୋଜିବା ପରେ ମଧ୍ୟ ବିଫଳ ହୋଇଥିଲେ । ଏହାରି ମଧ୍ୟରେ ୭ମାସ ବିତିଯାଇଥିବା ବେଳେ ଏହି ୨ଜଣ ଯୁବତୀ ରବିବାର କୋତବାଲି ଥାନାରେ ପହଞ୍ଚିଥିଲେ । ଏଠାରେ ଜଣେ ଯୁବତୀ ପୁରୁଷ ବେଶରେ ଆସିଥିବା ବେଳେ ଅନ୍ୟ ଜଣେ ଯୁବତୀ ବିବାହିତ ମହିଳାଙ୍କ ବେଶରେ ରହିଥିଲେ । ୨ ଜଣ ଯୁବତୀ ପତିପତ୍ନୀ ଭାବେ ନିଜକୁ ପରିଚୟ ଦେଇଥିଲେ । ଉଭୟ ବିବାହ କରିସାରିଥିବା ବେଳେ ସୁରକ୍ଷା ପାଇଁ ପୋଲିସ ନିକଟରେ ଅନୁରୋଧ କରିଥିଲେ ।
ପୋଲିସର କହିବା ଅନୁସାରେ ଯୁବତୀ ଦ୍ବୟ ନୋଏଡାର ଏକ କମ୍ପାନୀରେ ଚାକିରି କରି ଲିଭ-ଇନ ରିଲେସନସିପରେ ରହୁଥିଲେ । ହେଲେ ଏବେ ସେମାନେ ଘରକୁ ଫେରିଛନ୍ତି । ଏବେ ସେମାନେ ନିଜ ରାଜ୍ୟରେ ଲିଭ-ଇନ ରିଲେସନସିପରେ ରହିବାକୁ ଚାହୁଁଥିବା ବେଳେ ସେମାନଙ୍କ ପରିବାର ଯେପରି କୌଣସି ସମସ୍ୟା ସୃଷ୍ଟି ନକରନ୍ତି, ଏଥିଲାଗି ପୋଲିସ ନିକଟରେ ସେମାନେ ଅନୁରୋଧ କରିଥିଲେ । ଏହି ୨ଜଣଙ୍କ ସମ୍ପର୍କ ବହୁ ପୁରୁଣା ଥିବା ବେଳେ କେବେ ଏମାନଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଗଢି ଉଠିଥିଲା ସେ ନେଇ ପରିବାର ଜାଣିପାରିନଥିଲେ ।