ଲକ୍ଷ୍ନୌ: ସିଧାକରି ପାଦ ପଡୁନଥିଲା । ଠିକ ଭାବରେ କଥା ବି କହିପାରୁନଥିଲା ସିଏ । ତଳେ ଅଚେତହୋଇ ପଡିଥିଲା ମା' । ପାଖରେ 6 ମାସର ଭାଇ । କଣ କରିବ ବୋଲି ଭାବି ସାହାଯ୍ୟ ମାଗିବାକୁ ଦୌଡିଯାଇଥିଲା 2 ବର୍ଷର କୁନି ଝିଅ ।
ନିଜ ମା'କୁ ପ୍ଲାଟଫର୍ମରେ ଅଚେତ ଅବସ୍ଥାରେ ଦେଖି ଅସ୍ତବ୍ୟସ୍ତ ହୋଇପଡିଥିଲା କୁନି ଝିଅଟି । ସିଏ ଏତିକି ବୁଝିନେଇଥିଲା ଯେ ମା'କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିବ । ଆଉ ଏଥିପାଇଁ ହସ୍ପିଟାଲ ଖୋଜିବାକୁ ଦୌଡିଯାଇଥିଲା ଏହି ଶିଶୁ ।
ଆଉ ଗୋଟିଏ ରେଲୱେ ପ୍ଲାଟଫର୍ମକୁ କିଛି ବାଟ ଯିବା ପରେ ଆରପିଏଫ ଯବାନଙ୍କୁ ଏହି ଝିଅଟି ଭେଟିଥିଲା । ଥଙ୍ଗେଇ ଥଙ୍ଗେଇ କଥା କହୁଥିବା ଝିଅଟି କିଛି ଗୋଟିଏ ଅସୁବିଧା ହୋଇଥିବା ଠାରରେ ବୁଝାଇବାକୁ ଚେଷ୍ଟା କରିଥିଲା ।
ଝିଅଟିକୁ ବ୍ୟସ୍ତ ହେଉଥିବା ଦେଖି ଆରପିଏଫ ଯବାନମାନେ ତା ପଛେପଛେ ଆସିଥିଲେ । ଆଉ ଝିଅଟିର ମା' ପ୍ଲାଟଫର୍ମରେ ଅଚେତ ପଡିଥିବାର ଦେଖି ଆମ୍ବୁଲାନ୍ସ ଯୋଗେଁ ହସ୍ପିଟାଲ ନେବାର ବ୍ୟବସ୍ଥା କରିଥିଲେ । ଘଟଣା ମୋରାଦାବାଦ ରେଳ ଷ୍ଟେସନରେ ଘଟିଥିବା ଜଣାପଡିଛି ।