ଚଣ୍ଡିଗଡ: ହରିୟାଣାରେ ସାମ୍ପ୍ରଦାୟିକ ହିଂସା ତେଜିବାରେ ଲାଗିଛି । ନୁହରେ ଆରମ୍ଭ ହୋଇଥିବା ହିଂସା ଏବେ ଗୁରୁଗ୍ରାମରେ ଭୟଙ୍କର ରୂପ ନେଇଛି । ଦୋକାନ ବଜାର, ଗାଡିମୋଟର ପୋଡାଜଳା ଭଙ୍ଗାରୁଜା କରୁଛନ୍ତି ଉପଦ୍ରବୀ । ମଙ୍ଗଳବାର ଦିନ ଶତାଧିକ ଉପଦ୍ରବୀ ଗୁରୁଗ୍ରାମର ବାଦଶାହପୁର ଅଞ୍ଚଳରେ ପଶି ଆତଙ୍କ ଖେଳାଇଛନ୍ତି । ମାଂସ ଦୋକାନ, କବାଡି ଦୋକାନ ସମେତ କିଛି ଛୋଟ ଛୋଟ ରେସ୍ତୋରାଁ ଗୁଡିକରେ ନିଆଁ ଲଗାଇ ଦେଇଛନ୍ତି । ତେବେ ଏଥିରେ କାହାର ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ଏହାପୂର୍ବରୁ ଗୁରୁଗ୍ରାମରେ ଏକ ମସଜିଦ ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିଲା ।
ମଙ୍ଗଳବାର ଦିନ ବାଦଶାହପୁର ଅଞ୍ଚଳରେ ଶତାଧିକ ଲୋକେ ଏକାଠି ହୋଇ ୪ଟି ରେସ୍ତୋରାଁ, କବାଡି ଦୋକାନ, ଫର୍ଣ୍ଣିଚର ମରାମତି ଦୋକାନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ୨୦୦ରୁ ଅଧିକ ଉପଦ୍ରବୀ ହାତରେ ପେଟ୍ରୋଲ ବୋତଲ ଧରି ଅନେକ ଗାଡି ଜାଳି ଦେଇଥିଲେ । ଏହାସହିତ ସ୍ଥାନୀୟ ଅଞ୍ଚଳରେ ୨୫ରୁ ୩୦ଟି ଝୁମ୍ପୁଡି ଘରେ ନିଆଁ ଲଗାଇ ଦେଇଥିବାର ମଧ୍ୟ ସୂଚନା ମିଳିଛି । ପଡୋଶୀ ନୁହ ଜିଲ୍ଲାରୁ ଗୁରୁଗ୍ରାମରେ ହିଂସା ବ୍ୟାପିବା ପରେ ଗତକାଲି ସକାଳେ ସେକ୍ଟର ୫୭ର ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା ।
ଗତକାଲି ଗୁରୁଗ୍ରାମରେ ସାନି ହିଂସାକାଣ୍ଡ ପ୍ରକାଶ ପାଇବା ପରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ ନକରିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛନ୍ତି । ଏସିପି ବରୁଣ ଦହିୟା କହିଛନ୍ତି, ''ଗୁରୁଗ୍ରାମରେ ହିଂସା ପରେ ସହରର ପ୍ରମୁଖ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କୌଣସି ସ୍ଥାନରେ ହିଂସା ହେଲେ ଲୋକମାନେ ୧୧୨ ନମ୍ବର ଡାଏଲ କରି ଗୁରୁଗ୍ରାମ ପୋଲିସକୁ ଜଣାଇ ପାରିବେ ।''
ଏହାମଧ୍ୟ ପଢନ୍ତୁ: ହରିୟାଣା ହିଂସା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ନୁହରେ ଜାରି ହେଲା କର୍ଫ୍ୟୁ
ପ୍ରକାଶଥାଉ କି, ନୁହରେ ବିଶ୍ବ ହିନ୍ଦୁ ପରିଷଦର ଧାର୍ମିକ ଶୋଭାଯାତ୍ରା ବେଳେ ଏହି ହିଂସାର ସୂତ୍ରପାତ ହୋଇଥିଲା । ଶୋଭାଯାତ୍ରା ବେଳେ ପଥରମାଡ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସା ନିମିଷକରେ ବିସ୍ଫୋରକ ରୂପ ନେଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଗୁଳିମାଡରେ ୨ ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିଲା ଓ ଏକାଧିକ ଲୋକେ ଆହତ ହୋଇଥିଲେ । ଏହାପରେ ସାରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇ କର୍ଫ୍ୟୁ ଲାଗି କରାଯାଇଛି । ନୁହରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଏହି ହିଂସା ଏବେ ଆଖପାଖ ଅଞ୍ଚଳରେ ପହଞ୍ଚିଛି ।