ତାମିଲନାଡୁ: ତାଜୁବ କଲା ବିଧାୟକଙ୍କ ଝିଅ ବାହାଘର । କୋରୋନା ମାନ୍ଦାବସ୍ଥାରେ ସାଜିଲା ସବୁଠାରୁ ମହଙ୍ଗା ବିବାହ । କୋଟି କୋଟି ଟଙ୍କାର ଉପହାରରେ ପୋତି ଦେଲେ ଜ୍ବାଇଁ ଘରକୁ । ଦେଖିଲେ ଲାଗିବ ଯେମିତି ବସି ଖାଇଲେ ବି ସରିବନି । ଗାଡିରେ ଲକ୍ଷାଧିକ ଟଙ୍କାର କାର, ବୁଲେଟ, ସ୍କୁଟର ସାଙ୍ଗକୁ ଟ୍ରାକ୍ଟର । ଏହାସହ ଡର୍ଜନେ ଛେଳି ଓ ଗାଈ ମଧ୍ୟ ଭେଟି ଦେଇଛନ୍ତି ।

ଗୋଟିଏ କି ଦୁଇଟି ନୁହେଁ ପୁଳା ପୁଳା କଂସା ବାସନ ସାଙ୍ଗକୁ ଆସବାବ ପତ୍ର ଏମିତି ଖଞ୍ଜି ଦେଇଛନ୍ତି ଯେ ପାଦ ରଖିବାକୁ ଜାଗା ମଧ୍ୟ ନାହିଁ । ଘରୁ ମଣ୍ଡପ ଯାଏଁ ଧାଡି ଧାଡି କରି ଗୋଟିଏ ପରେ ଗୋଟିଏ ବୋହି ନେଉଯାଉଛନ୍ତି ଲୋକେ । ଆଖି ଲାଖିଲା ପରି ସଜେଇ ହୋଇଛି ମଣ୍ଡପ । ପ୍ଲାଷ୍ଟିକ ସହିତ ସୁନା ରୂପାରେ ଝଲସୁଛି ମଣ୍ଡପର ଚାରିଦିଗ । ସବୁ ବାପାଙ୍କ ପରି ଏମଏଲଙ୍କ ମଧ୍ୟ ନିଜ ସୁନାନାଖୀ ଝିଅକୁ ଖୁବ୍ ଧୁମଧାମରେ ବିବାହ ଦେବାକୁ ଇଚ୍ଛା ଥିଲା । ଆଉ ଏମିତି ବିବାହ କଲେ ଯେ ବିବାହରୁ ଏବେ ବିବାଦକୁ ଟାଣି ହୋଇଆସିଲେ ।
ଆପଣ ଦେଖୁଥିବା ଏହି ଜମାଣିଆ ବିବାହ ହେଉଛି ତାମିଲନାଡୁ ମଦୁରାଇର । ସେଠାକାର ପୂର୍ବତନ ବିଧାୟକ କୋରୋନା କାଳରେ ନିଜ ଝିଅର ଏପରି ବିବାହ ସମ୍ପନ୍ନ କରିଛନ୍ତି । ବାଜା ଠୁ ବାଣରେ କମ୍ପାଇଦେଲେ ଚତୁର୍ଦ୍ଦିଗ । ଭେରୀ,ତୁରୀ ଓ ମହୁରୀ ଭଳି ଶୁଭ ବାଦ୍ୟ ବଜାଇ ବିଦା କଲେ ଝିଅକୁ । ତେବେ ଗୋଟିଏ ପଟେ ଲୋକେ ଦୁଃଖରେ ସଢୁଥିବା ବେଳେ ବିଧାୟକଙ୍କ ଏପରି ବିବାହ କରିବା ଲୋକଙ୍କୁ ଟିକେ ହଜମ ହୋଇନି ।

ମଦୁରାଇ ଉପାନ୍ତ ଅଞ୍ଚଳର ସଚିବ ଆମ୍ମା ପେରଭାଇ ତମିଜରାସୁଙ୍କ ଝିଅ କିର୍ତ୍ତୀ ଭି.ପି.ଙ୍କ ପୁଅ ଭେଟ୍ରିଭେଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ରାଜକୀୟ ବିବାହ ବୈଦ୍ୟନାଥନ୍। ପୁଡୁକୋଟାଇ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା | ତାପରଠୁ ବିବାହର ସମସ୍ତ ଦୃଶ୍ୟ ଇଣ୍ଟରନେଟରେ ଘୁରି ବୁଲୁଥିବା ବେଳେ ସମସ୍ତଙ୍କ ଆଖି ଖୋସି ହୋଇଯାଇଥିଲା ।
ଅନେକଙ୍କ ମତରେ ଏହି ଜିନିଷଗୁଡ଼ିକର ମୂଲ୍ୟ ଦୁଇ କୋଟି ଟଙ୍କା ହୋଇପାରେ । ଏହି କ୍ରମରେ ଦେଖିବାକୁ ଗଲେ ଯେଉଁମାନେ ବିବାହକୁ ଆସିଥିଲେ, ସେମାନେ ନୁହଁନ୍ତି, ଯେଉଁମାନେ ଇଣ୍ଟରନେଟରେ ଫଟୋ ଦେଖିଥିଲେ, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ବିବାହ ଦେଖିଲେ ଗୋଟିଏ କଥା ମନେପଡୁଛି, ଏମିତି ବାହାଘର କରିବି ଯେ, ଲୋକେ ଚାହିଁ ରହିଥିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ