ଡେରାଡୁନ: ଗତ କିଛି ଦିନ ହେବା ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ରବିବାର ଦୁଇଟି ହେଲିକପ୍ଟର ରାଜ୍ୟକୁ ପଠାଇଛନ୍ତି । ବନ ଅଧିକାରୀ କହିଛନ୍ତି ଯେ ଗରହୱାଲ ଏବଂ କୁମାଓନ୍ ଅଞ୍ଚଳର ଜଙ୍ଗଲର 40 ଟି ସ୍ଥାନରେ ଅଗ୍ନିକାଣ୍ଡ ସକ୍ରିୟ ଅଛି । ନୈନିତାଲ, ଆଲମୋରା, ତେହେରୀ ଏବଂ ପୌରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।
ଚଳିତ ବର୍ଷ ଜାନୁଆରୀରୁ ରାଜ୍ୟରେ 1,292 ହେକ୍ଟର ଜମିରେ 983 ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ରାଜ୍ୟରେ ବର୍ତ୍ତମାନର ଜଙ୍ଗଲ ଅଗ୍ନି ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦେଇଛନ୍ତି, ଏହା ପରେ ସହାୟତା ପାଇଁ ଦୁଇଟି ହେଲିକପ୍ଟର ପଠାଯାଇଛି । ଏନେଇ ଅମିତ ଶାହା ଟ୍ବିଟ କରିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ ତଥା ସମସ୍ତ ଜିଲ୍ଲାପାଳଙ୍କ ଜରୁରୀକାଳୀନ ବୈଠକ ଡାକି ପରିସ୍ଥିତିର ଆକଳନ କରିଛନ୍ତି ଓ ଏହାର ନିୟନ୍ତ୍ରଣ କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ପାଇଁ 12,000 ବନ ବିଭାଗର କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ 1300 ଟି ଅଗ୍ନିଶମ କେନ୍ଦ୍ର ମଧ୍ୟ ସାମିଲ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ