ଡିସପୁର: ଆସାମରେ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଟେଲିଫୋନ ଯୋଗେ କଥା ହେବା ସମୟରେ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ପଚାରି ବୁଝିବା ସହ ଏନେଇ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇବ ବୋଲି ମୋଦି କହିଥିବା ଆସାମ ମୁଖ୍ୟମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ତେବେ ଆସାମରେ ପ୍ରବଳ ବର୍ଷା ଯୋଗୁଁ ଏବେ ବନ୍ୟା ଘେରରେ ଜୀବନ ବିତାଉଛନ୍ତି ଆସାମର ୨୧ ଜିଲ୍ଲାରେ ଥିବା ସାଢେ ୩ ଲକ୍ଷ ଲୋକ । ଏନେଇ ଆସାମ ବିପର୍ଯ୍ୟୟ ପ୍ରଶମନ ସୂଚନା ଦେଇ କହିଛି ଯେ ପ୍ରବଳ ବର୍ଷା ହେତୁ ୨୧ ଜିଲ୍ଲାର ୩ ଲକ୍ଷ ୬୩ ହଜାର ୧୩୫ ଜଣ ପ୍ରଭାବିତ ହୋଇଛନ୍ତି ।
ବନ୍ୟା ପୀଡିତ ଅଞ୍ଚଳ ଗୁଡିକୁ ସହାୟତା କରିବା ପାଇଁ ରାଜ୍ୟରେ ୪୪ଟି ରିଲିଫ କେନ୍ଦ୍ର ଖୋଲାଯାଇଛି । ସେଥିମଧ୍ୟରୁ ୧୬ ଟି ରିଲିଫ କ୍ୟାମ୍ପ ଏବଂ ୨୮ ଟି ରିଲିଫ ବଣ୍ଟନ କେନ୍ଦ୍ର ଅନ୍ତର୍ଭୁକ୍ତ । ଏହି ରିଲିଫ କ୍ୟାମ୍ପରେ ମୋଟ ୧୬୧୯ ଲୋକ ଆଶ୍ରୟ ନେଇଥିବା ରିପୋର୍ଟରେ ପ୍ରକାଶ କାଇଛି । ତେବେ ଗତକାଲିର ରିପୋର୍ଟ ଅନୁଯାୟୀ ବନ୍ୟା ଯୋଗୁଁ ୧୪ଟି ଜିଲ୍ଲାରେ 2.58 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଥିଲା । ଯାହା ଏବେ ୨୧ଟି ଜିଲ୍ଲାକୁ ବୃଦ୍ଧି ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ