ଚେନ୍ନାଇ: ତାମିଲନାଡୁରେ ବଡ଼ ଅଘଟଣ । ମନ୍ଦିରରେ ଥିବା ପୋଖରୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି । ଚେନ୍ନାଇର ମୁବରାସମପେଟ ସ୍ଥିତ ଧର୍ମଲିଙ୍ଗେଶ୍ବର ମନ୍ଦିରରେ ଏହି ଅଘଟଣ ଘଟିଛି । ମୃତକଙ୍କ ବୟସ ୧୯ରୁ ୨୫ ବର୍ଷ ମଧ୍ୟରେ ହେବା ସୂଚନା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ଧର୍ମଲିଙ୍ଗେଶ୍ବର ମନ୍ଦିରରେ ଚାଲିଥିବା ଏକ ତୀର୍ଥବାରୀ ଉତ୍ସବ ଅବସରରେ ପୂଜକ ଏବଂ ସ୍ବୟଂସେବକ ପୋଖରୀ ନିକଟରେ ପୂଜାର୍ଚ୍ଚନା କରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଚାରିଜଣ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ । ମନ୍ଦିରରେ ଉପସ୍ଥିତ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜିଥିଲେ । ଅନେକ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ସମସ୍ତ ମୃତଦେହକୁ କ୍ରୋମପେଟ ସରକାରୀ ଡାକ୍ତରଖାନାକୁ ପଠାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: Udaipur Gory Murder: ୮ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଅଭିଯୁକ୍ତର ପିତାମାତା ଗିରଫ
ପ୍ରକାଶ ଥାଉକି, ନିକଟରେ ରାମ ନବମୀରେ ମଧ୍ୟପ୍ରଦେଶ ଇନ୍ଦୋରର ବେଲେଶ୍ବର ମନ୍ଦିରରେ ମଧ୍ୟ ଏଭଳି ଏକ ବଡ଼ ଅଘଟଣ ଘଟିଥିଲା । ମନ୍ଦିରର ଛାତ ଭୁଶୁଡ଼ି ପଡିବା କାରଣରୁ 35 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଏହି ଅଘଟଣରେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ରହିଥିବା ସୂଚନା । ରାମ ନବମୀ ଅବସରରେ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଅପେକ୍ଷାକୃତ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ସମୟରେ ମନ୍ଦିରରେ ଥିବା ଏକ କୂଅର ଛାତ ଭୁଶୁଡି ପଡିଥିଲା । ଫଳରେ ପ୍ରାୟ 30ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରାଙ୍ଗଣରେ ଥିବା ଜଳକୂପ ମଧ୍ୟକୁ ଖସି ପଡିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ସିକିମରେ ଭୟଙ୍କର ହିମସ୍ଖଳନ: 6 ମୃତ, ଫସିଛନ୍ତି 80ରୁ ଅଧିକ ପର୍ଯ୍ୟଟକ
ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଅଘଟଣ ପରେ ମନ୍ଦିରରେ ଦର୍ଶନ ବନ୍ଦ ରହିଛି । ଅଘଟଣରେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।