ଚେନ୍ନାଇ: ତାମିଲନାଡୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । କୁଦାଲୋର ଜିଲ୍ଲାରେ ଦୁଇଟି ଘରୋଇ ବସ ମଧ୍ୟରେ ମୁଁହାମୁଁହି ଧକ୍କା ହେବା ଫଳରେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ 50ରୁ ଅଧିକ ଆହତ ହୋଇଛନ୍ତି । ଆଜି(ସୋମବାର) ସକାଳେ ଏହି ଦୁର୍ଘଟଣା ଘଟିଛି । ପନରୁତି ମେଲପଟ୍ଟନମପକ୍କମ ନିକଟରେ ବୀପରିତ ଦିଗରୁ ଆସୁଥିବା ଦୁଇଟି ବସ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା । ଦୁଇଟି ବସର ଡ୍ରାଇଭର କ୍ୟାବିନ ସମେତ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।
ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ପୋଲିସ ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଥିଲା । ପ୍ରାୟ 60 ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା 5 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆହତଙ୍କ ମଧ୍ୟରେ କିଛି ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଛି ।
ତେବେ ଏହି ଦୁର୍ଘଟଣା ନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁଇଟି ବସ ବିପରୀତ ଦିଗରୁ ଆସୁଥିଲେ । ଗୋଟିଏ ବସର ଟାୟାର ଫାଟିଯିବା ଫଳରେ ତାହା ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ବସ ସମ୍ମୁଖକୁ ଆସିଯିବାରୁ ଉଭୟ ବସ ମୁଁହାମୁଁହି ପିଟି ହୋଇଯାଇଥିଲେ । ଏଥିରେ ଦୁଇଟି ବସରେ ଡ୍ରାଇଭର କ୍ୟାବିନ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଚାପି ହୋଇରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଓ ପୋଲିସ କର୍ମୀ ହସ୍ପିଟାଲ ପଠାଇଥିଲେ ।
ତେବେ ଦୁର୍ଘଟଣା ପରେ ପୋଲିସ ଭିଡ ନିୟନ୍ତ୍ରଣ କରିଥିଲା । ଉକ୍ତ ରାସ୍ତାରେ ଯାତାୟତ ମଧ୍ୟ ସାମୟିକ ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । କ୍ରେନ ଯୋଗେ ଦୁର୍ଘଟଣାଗ୍ରସ୍ତ ବସ ଦୁଇଟିକୁ ରାସ୍ତାରୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି । ସ୍ଥାନୀୟ ଜିଲ୍ଲାପାଳ ଓ ଏସ୍ପି ହସ୍ପିଟାଲରେ ଆହତଙ୍କୁ ଭେଟି ସେମାନଙ୍କ ଚିକିତ୍ସା ତଦାରଖ କରିଛନ୍ତି । ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ଓ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ