ରାୟପୁର: ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଥିବା ଛତିଶଗଡରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଆଜି ସଂଧ୍ୟା 5 ଟାରୁ ସମସ୍ତ ନିର୍ବାଚନୀ ସଭାସମିତି, ଶୋଭାଯାତ୍ରା ଆଦିକୁ ବନ୍ଦ ରଖାଯିବା ସହ ସମସ୍ତ ଦଳର ଷ୍ଟାର ପ୍ରଚାରକଙ୍କୁ ଏହି ସବୁ ସ୍ଥାନ ଛାଡିବା ପାଇଁ କୁହାଯାଇଛି । ଆସନ୍ତାକାଲି ଡ୍ରାଏ ଡେ ରହିବା ପରେ ପରଦିନ (7 ତାରିଖ)ରେ ପ୍ରଥମ ପର୍ଯ୍ୟାୟରେ 20 ଟି ଆସନରେ ମତଦାନ ହେବ । ନିର୍ବାଚନୀ ପ୍ରଚାର ଶେଷ ସାଙ୍ଗକୁ ପ୍ରଶାସନ ମଧ୍ୟ ଭୋଟଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ କରିବାରେ ଲାଗିପଡିଛି । ଏହି 20 ଆସନ ମଧ୍ୟରୁ 12 ଟି ଅନୁସୂଚିତ ଜନଜାତି (ଏସଟି)ବର୍ଗ ପାଇଁ ସଂରକ୍ଷିତ ରଖାଯାଇଛି । ମାତ୍ର ଗୋଟିଏ ଆସନ ଅନୁସୂଚିତ ଜାତି (ଏସସି) ବର୍ଗ ପାଇଁ ଓ ଅବଶିଷ୍ଟ ଆସନ ଅଣସଂରକ୍ଷିତ ବା ସାଧାରଣ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ ରହିଛି ।
ପ୍ରଥମ ପର୍ଯ୍ୟାୟର 20ଟି ବିଧାନସଭା ଆସନରେ ବିଭିନ୍ନ ଦଳରୁ ମୋଟ 223 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ସେଥିମଧ୍ୟରୁ 198 ଜଣ ପୁରୁଷ ଓ 25 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ 40 ଲକ୍ଷ 78 ହଜାର 681 ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିମଧ୍ୟରେ 19 ଲକ୍ଷ 93 ହଜାର 937 ପୁରୁଷ ଭୋଟର, 20 ଲକ୍ଷ 84 ହଜାର 675 ମହିଳା ଭୋଟର ରହିଛନ୍ତି । ସେହିପରି 69 ଜଣ ଟ୍ରାନ୍ସଜେଣ୍ଡର ଭୋଟର ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମୁଦାୟ 5,304 ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।
ପୁଲିଂ ପାର୍ଟି ବ୍ୟତୀତ ଅନ୍ୟ ପର୍ଯ୍ୟବେକ୍ଷକ ଅଧିକାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ନିୟୋଜିତ ରହିବେ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଇଭିଏମ, ଭିଭିପ୍ୟାଟ ଓ ଅନ୍ୟ ସମସ୍ତ ଭୋଟିଂ ଉପକରଣ ବୁଥରେ ପହଞ୍ଚିବ । ଆଜିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଜିଲ୍ଲା ଅଧିକାରୀମାନେ ଜିଲ୍ଲାଓ୍ବାରୀ ନିର୍ବାଚନ ଅଧିକାରୀ ଭୂମିକା ତୁଲାଇବେ । ସମ୍ବେଦନଶୀଳ ସ୍ଥାନ ଭାବେ ପୂର୍ବ ରେକର୍ଡ ଥିବା ସ୍ଥାନଗୁଡିକରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:- Baghel vs Baghel: ପାଟନରେ ହାଇପ୍ରୋଫାଇଲ ତ୍ରିମୁଖୀ ଲଢେଇ, ଗ୍ରାଉଣ୍ଡରେ ବଘେଲ ଦାଦା-ପୁତୁରା
ତେବେ ଏହି ପର୍ଯ୍ୟାୟରେ ଏକାଧିକ ହେଭିଓ୍ବେଟ ନେତା ନିଜ ଭାଗ୍ୟ ପରୀକ୍ଷା ଦେବେ । ଏହା ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡାକ୍ତର ରମଣ ସିଂ ରହିଛନ୍ତି । ରଜନନ୍ଦଗାଓଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଡା.ସିଂ । ସେହିପରି ଏହି ପର୍ଯ୍ୟାୟର ଦ୍ୱିତୀୟ ସର୍ବାଧିକ ଚର୍ଚ୍ଚିତ ଆସନ ହେଉଛି ଚିତ୍ରକୂଟ । କଂଗ୍ରେସର ପ୍ରଦେଶ ସଭାପତି ଦୀପକ ବୈଜ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । 17 ରେ ଅନ୍ୟ ଅବଶିଷ୍ଟ 70 ଆସନରେ ଭୋଟିଂ ହେବ । ଡିସେମ୍ବର 3 ରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ