ମୁମ୍ବାଇ: ଥାନେର ଏକ ହସପିଟାଲରେ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ସୂଚନା ଅନୁସାରେ,ମୁମ୍ବାଇର କୈଶା ଅଞ୍ଚଳରେ ଥିବା ପ୍ରାଇମ ହସପିଟାଲରେ ରାତି 3 ସମୟରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ହସପିଟାଲ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ । ହସପିଟାଲରେ ଚିକିତ୍ସିତ ହେଉଥିବା 17 ଜଣ ରୋଗୀଙ୍କ ମଧ୍ୟରୁ ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ, ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ 5 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ ।ଏବଂ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ