ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ସ୍ଥିତ ଏଲପିଏସ ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ହସ୍ପିଟାଲରେ ଅଗ୍ନିକାଣ୍ଡ । ତେବେ ରବିବାର ସକାଳେ ହସ୍ପିଟାଲର ପ୍ରଥମ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିବା କୁହାଯାଇଛି । ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ଭୟର ବାତାବରଣ ଖେଳିଯାଇଛି । ହସ୍ପିଟାଲର ତଳ ଓ ପ୍ରଥମ ମହଲାର କାଚ ଭାଙ୍ଗି ରୋଗୀମାନେ ବାହାରକୁ ବାହାର କରାଯାଇଥିବା ବେଳେ ଦୁଇ ରୋଗୀଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ।
ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । କାନପୁର ପୋଲିସ କମିଶନର ଅସୀମ ଅରୁଣ କହିଛନ୍ତି ଯେ, ସକାଳ ୭ଟା ୪୦ ମିନିଟରେ କାର୍ଡିଓଲୋଜୀର ଆଇସିୟୁରେ ନିଆଁ ଲାଗିଥିଲା । ଏହାର କାରଣ ତଦନ୍ତ ପରେ ଜଣାପଡିବ । ଦମକଳବାହିନୀ ତୁରନ୍ତ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରାୟ 138 ରୋଗୀଙ୍କୁ ଆଇସିୟୁରୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।
ସୂଚନାଯୋଗ୍ୟ, ଏହି ହସ୍ପିଟାଲ ହେଉଛି କାନପୁରରେ ଥିବା ସବୁଠାରୁ ବଡ ସରକାରୀ ମେଡିକାଲ । ଏଠାକୁ କାନପୁର ଆଖପାଖ ଅଞ୍ଚଳରୁ ଅନେକ ହୃଦରୋଗୀ ଅପରେସନ ଓ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଏନେଇ ସିଏମ ଯୋଗୀ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଏବଂ ତଦନ୍ତ ପରେ ଘଟଣାର ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସମସ୍ତ ଡାକ୍ତରଖାନାରେ ଅଗ୍ନିଶମ ସେବା ଯାଞ୍ଚ କରିବାକୁ କହିଛନ୍ତି ।