ରାଞ୍ଚି: ଝାଡଖଣ୍ଡର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କ ମୋଡ୍ ଥାନା ଅଞ୍ଚଳ ଅନ୍ତର୍ଗତ ଟେଲିଫୋନ୍ ଏକ୍ସଚେଞ୍ଜ୍ ରୋଡରେ ଥିବା ହାଜ୍ରା କ୍ଲିନିକ୍ ଏବଂ ହସ୍ପିଟାଲରେ ଭିଷଣ ନିଆଁ ଲାଗିଯାଇଥିଲା । ଫଳରେ ଡାକ୍ତର ଦମ୍ପତିଙ୍କ ସମେତ ସମୁଦାୟ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଦମ୍ପତି ହେଲେ ବିକାଶ ହଜ୍ରା ଏବଂ ପ୍ରେମା ହାଜ୍ରା । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତକମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଗ୍ନିକାଣ୍ଡର ଭୟାଭୟତା ଏତେ ମାତ୍ରାରେ ରହିଥିଲା ଯେ, ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ନାକେଦମ ହୋଇଥିଲେ । ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ସୂଚନାଅନୁସାରେ, ମୃତ ଡାକ୍ତର ଦମ୍ପତି ବିକାଶ ହାଜ୍ରା ଏବଂ ପ୍ରେମା ହାଜ୍ରା ହସ୍ପିଟାଲ ପରିସରରେ ରହୁଥିଲେ । ହସ୍ପିଟାଲ ଏବଂ ତାଙ୍କ ବାସ ଭବନକୁ ଏକ କରିଡର ସଂଯୋଗ କରୁଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ କରିଡରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ଏହି ଧୂଆଁ ଡାକ୍ତର ଦମ୍ପତିଙ୍କ ଗୃହ ମଧ୍ୟରେ ପ୍ରବେଶ କରିଥିଲା । ଫଳରେ ଦୁହେଁ ବାହାରିନପାରି ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜେରୁସାଲେମରେ ଆତତାୟୀର ଗୁଳିମାଡ, 7 ମୃତ ଏକାଧିକ ଆହତ
ଏନେଇ ଜଣେ ହସ୍ପିଟାଲ କର୍ମଚାରୀ କହିଛନ୍ତି,"ଶୁକ୍ରବାର ବିଳମ୍ବିତ ରାତିରେ ହସ୍ପିଟାଲର ଦ୍ବିତୀୟ ମହଲାରେ ହଠାତ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିଥିଲା । ହସ୍ପିଟାଲ ଏବଂ କରିଡର ମଧ୍ୟରେ ଥିବା ରାସ୍ତା ବନ୍ଦ ରହିଥିଲା । ଡାକ୍ତରଖାନା ସହ ଷ୍ଟାଫ୍ କ୍ବାଟର ସଂଲଗ୍ନ ରହିଥିବାରୁ କ୍ବାଟରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଫଳରେ ନିଆଁ ଓ ଧୂଆଁର ପ୍ରକୋପରୁ ସେମାନେ ବର୍ତ୍ତିପାରି ନଥିଲେ । ଫଳରେ ଡାକ୍ତର ଦମ୍ପତିଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।"
ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବହୁ କସରତ ପରେ ଆଠଟି ନିଆଁ ଲିଭା ଗାଡି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ହସ୍ପିଟାଲରେ ରହିଥିବା ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ସୂଚନା ରହିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ