ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି କୋରୋନା ଲଢେଇରେ ସାମିଲ ହେବେ ଏମବିବିଏସର ଶେଷ ବର୍ଷର ଛାତ୍ରଛାତ୍ରୀ । ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଦେଶରେ କୋରୋନା ସ୍ଥିତି ନେଇ ଏକ ବୈଠକ ବସିଥିଲା, ଯେଉଁଥିରେ ଏନେଇ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ । କୋରୋନା ସଂକ୍ରମଣ ବଢୁଥିବା ବେଳେ ଆବଶ୍ୟକୟୀ ମାନବ ସମ୍ବଳ ନେଇ ଆଲୋଚନା କରାଯାଇଥିଲା ।
ସୂତ୍ର ଅନୁସାରେ, ମେଡିକାଲ, ନର୍ସିଂ ପାଠ୍ୟକ୍ରମରେ ପାସ ଆଉଟ ଶିକ୍ଷାର୍ଥୀ ଓ ପାଠପଢୁଥିବା ଛାତ୍ରଛାତ୍ରୀଙ୍କୁ କୋରୋନା ଡ୍ୟୁଟିରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି । ଏ ବିଷୟରେ ଆସନ୍ତାକାଲି ପ୍ରକାଶ ପାଇବ । ଯେଉଁମାନେ କୋଭିଡ ଡ୍ୟୁଟି କରୁଛନ୍ତି ସେମାନଙ୍କୁ ସରକାରୀ ନିଯୁକ୍ତି ଅଗ୍ରାଧିକାର ମିଳିବା ସହ ପ୍ରୋତ୍ସାହନ ରାଶି ଦିଆଯିବ । ଦିନକୁ ଦିନ ଦେଶରେ କୋରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ହେଉଥିବାରୁ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କ ଉପରେ ଚାପ ବଢିବାରେ ଲାଗିଛି । ଯାହାକୁ ନେଇ ଆଜି ବୈଠକରେ ଆଲୋଚନା ପରେ ମେଡିକାଲ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ କୋଭିଡ ଡ୍ୟୁଟରେ ସାମିଲ କରିବାକୁ ଚିନ୍ତା କରାଯାଇଛି ।
ସୂଚନାଯୋଗ୍ୟ, ଗତ ଶନିବାର ଦିଲ୍ଲୀ ବତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରକୁ ଜଣେ ଡାକ୍ତରଙ୍କ ସମେତ 12 ଜଣଙ୍କ କୋଭିଡ ଆକ୍ରାନ୍ତ ଆଖିବୁଜିଛନ୍ତି । ଅନ୍ୟ ଏକ ଡାକ୍ତର ଅତ୍ୟଧିକ କାମ ଚାପ ସହ୍ୟ କରି ନପାରି ଆତ୍ମହତ୍ୟା କରିଛନ୍ତି ।